ପୁଲିସର ବିଚ୍ ପାଟ୍ରୋଲିଂ ଅଭିଯାନ - NILACHALA SAMACHAR
Article Image

ପୁଲିସର ବିଚ୍ ପାଟ୍ରୋଲିଂ ଅଭିଯାନ

🗂 Local | 🕒 19 May 2026, 23:49 IST


ପୁରୀ, ୧୯/୫ : ପର୍ଯ୍ୟଟକମାନଙ୍କ ସୁରକ୍ଷା, ସାଧାରଣ ଆଇନ ଶୃଙ୍ଖଳା ରକ୍ଷା ଏବଂ ପୁରୀ ସମୁଦ୍ର ବେଳାଭୂମିରେ ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖିବା ଉଦ୍ଦେଶ୍ୟରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦେଶରେ ପୁରୀ ସହର ଅଞ୍ଚଳରେ ଏକ ବ୍ୟାପକ ବିଚ୍ ପେଟ୍ରୋଲିଂ ଅଭିଯାନ କରାଯାଇଥିଲା। ଏହି ଅଭିଯାନକୁ ସିଟି ଡିଏସପି ଶ୍ରୀ ରଶ୍ମିରଞ୍ଜନ ମହାପାତ୍ର ନେତୃତ୍ୱ ହୋଇଥିଲା । ଏହି ପେଟ୍ରୋଲିଂ ଅଭିଯାନରେ ସି ବିଚ୍ ଥାନା ଆଇଆଇସି ଶ୍ରୀ ମାନସ ଚକ୍ର, ଟାଉନ ଥାନା ଆଇଆଇସି ଶ୍ରୀ ଗୋକୁଳ ରଞ୍ଜନ ଦାସ, ଟ୍ରାଫିକ ଆଇଆଇସି ଶ୍ରୀମତୀ ସଙ୍ଗୀତା ଦାଶ, ବାଳିଆପଣ୍ଡା ଥାନା ଆଇଆଇସି ଶ୍ରୀ ସୁନୀଲ ଯାଦବ ଏବଂ ତାଳବଣିଆ ଥାନା ଆଇଆଇସି ଶ୍ରୀ ଅଭିନବ ମିଶ୍ରଙ୍କ ସହ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ। ପୁରୀ ବେଳାଭୂମିକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏବଂ ଭକ୍ତମାନେ ଆସୁଥିବାରୁ ସେମାନଙ୍କ ସୁରକ୍ଷା ପ୍ରତି ପୁରୀ ପୋଲିସ ସଦା ସଚେତନ ରହିଛି। ବିଶେଷକରି ସନ୍ଧ୍ୟା ଓ ରାତ୍ରି ସମୟରେ ବେଳାଭୂମିରେ ଭିଡ଼ ବଢ଼ୁଥିବାରୁ ସେଠାରେ ଅପରାଧମୂଳକ କାର୍ଯ୍ୟକଳାପ, ଅସାମାଜିକ ତତ୍ତ୍ୱଙ୍କ ଗତିବିଧି, ଅସଦାଚରଣ ଓ ଅନ୍ୟାନ୍ୟ ଅପ୍ରୀତିକର ଘଟଣାକୁ ରୋକିବା ନିମନ୍ତେ ଏହି ସ୍ପେଶାଲ ପେଟ୍ରୋଲିଂ କରାଯାଇଥିଲା।

ଅଭିଯାନ ସମୟରେ ପୋଲିସ ଅଧିକାରୀମାନେ ବେଳାଭୂମିର ବିଭିନ୍ନ ସ୍ଥାନ ବୁଲି ପରିଦର୍ଶନ କରିଥିଲେ ଏବଂ ପର୍ଯ୍ୟଟକମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ମତାମତ ଶୁଣିଥିଲେ। ସେମାନଙ୍କୁ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସଚେତନତାମୂଳକ ପରାମର୍ଶ ମଧ୍ୟ ଦିଆଯାଇଥିଲା। ବିଶେଷତଃ ରାତି ସମୟରେ ସତର୍କ ରହିବା, ଅଜଣା ବ୍ୟକ୍ତିଙ୍କ ସହ ଅତ୍ୟଧିକ ସମ୍ପର୍କ ନ ରଖିବା, ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ରଖିବା ଓ ସମୁଦ୍ରରେ ବିପଦଜନକ ଅଞ୍ଚଳକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା।

ଏହାସହ ବେଳାଭୂମି ଅଞ୍ଚଳରେ ଥିବା ଦୋକାନୀ, ହୋଟେଲ ବ୍ୟବସାୟୀ ଏବଂ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସନ୍ଦେହଜନକ ବ୍ୟକ୍ତି କିମ୍ବା ଅସାମାଜିକ ଗତିବିଧି ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ଅନୁରୋଧ କରାଯାଇଥିଲା। ପୁରୀ ପୋଲିସ ଦ୍ୱାରା ସମୁଦ୍ର ବେଳାଭୂମିରେ ନିୟମିତ ପେଟ୍ରୋଲିଂ, ମୋବାଇଲ ଭ୍ୟାନ ମୁତୟନ ଓ ଗୁପ୍ତ ନଜରଦାରୀ ଜାରି ରହିଛି ।

ପର୍ଯ୍ୟଟକମାନେ ମଧ୍ୟ ପୁରୀ ପୋଲିସର ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ ଏବଂ ପୋଲିସର ସକ୍ରିୟ ଉପସ୍ଥିତି ଦ୍ୱାରା ସେମାନେ ଅଧିକ ସୁରକ୍ଷିତ ଅନୁଭବ କରୁଥିବା କହିଥିଲେ।

💬 Leave a Comment

🗨️ Approved Comments

No comments yet.

🔗 Share this article: