🗂 Local | 🕒 02 Jun 2026, 11:07 IST
ପୁରୀ, ୨/୬ : କାକଟପୁର ଥାନା ଅଂଚଳରେ ପ୍ରାୟ ଛଅ ଦିନ ପୂର୍ବରୁ କାକଟପୁର ନୂତନ ବସ୍ଷ୍ଟାଣ୍ଡ ଅଞ୍ଚଳରେ ଘଟିଥିବା ଏକ ଘଟଣାର ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ଜଣେ ବ୍ୟକ୍ତି ଜଣେ ନାବାଳକଙ୍କୁ ଚାପୁଡ଼ା ମାରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ କାକଟପୁର ଥାନା ପକ୍ଷରୁ ତୁରନ୍ତ ଅନୁସନ୍ଧାନ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆସଣା ଗ୍ରାମର ସନ୍ତୋଷ କୁମାର ଜେନା (୪୬) ନାମକ ଜଣେ ଦୋକାନୀ ଉକ୍ତ ନାବାଳକଙ୍କୁ ଦୁଇଥର ଚାପୁଡ଼ା ମାରିବା ସହ ଧମକ ଦେଇଥିଲେ। ବାଳକଟି ତାଙ୍କ ଦୋକାନରୁ କିଛି ସାମଗ୍ରୀ ନେବାକୁ ଚେଷ୍ଟା କରୁଥିବା ବେଳେ ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ନାବାଳକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣାକୁ ଗୁରୁତ୍ୱର ସହ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମାନ୍ୟବର ବିଚାରାଳୟରେ ପ୍ରସିକ୍ୟୁସନ୍ ରିପୋର୍ଟ ଦାଖଲ କରାଯାଇଛି। ନାବାଳକଙ୍କ ପରିଚୟ ଚିହ୍ନଟ କରିବା ଏବଂ ତାଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ପାଇଁ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି।
No comments yet.