🗂 Local | 🕒 12 Jun 2026, 15:16 IST
ପୁରୀ ଶ୍ରୀସେତୁ ଉପରେ ଶୁକ୍ରବାର ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେବାରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କ ମଧ୍ୟରେ ବସ ଚାଳକ ମଧ୍ୟ ରହିଛନ୍ତି।
ସୂଚନା ଅନୁଯାୟୀ, ପୁରୀରୁ ବରମୁଣ୍ଡା ଅଭିମୁଖେ ଯାଉଥିବା ଓଡି-୦୨-ସିଏ-୯୩୨୯ ନମ୍ବର ବିଶିଷ୍ଟ ‘ସିଲୁ’ ଯାତ୍ରୀବାହୀ ବସଟି ଶ୍ରୀସେତୁ ରୋଡ଼ରେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇଥିଲା। ଫଳରେ ବସଟି ରାସ୍ତା ମଝିରେ ଥିବା ଡିଭାଇଡରରେ ଜୋରଦାର ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଯାତ୍ରୀମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା।
ଖବର ପାଇ ସ୍ଥାନୀୟ ଲୋକେ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ସମସ୍ତ ଆହତଙ୍କୁ ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ କାହାର ଅବସ୍ଥା ଗୁରୁତର ନାହିଁ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।
No comments yet.