ଶ୍ୟାମକୁଞ୍ଜ ଗଳିରେ ଆପାର୍ଟମେଣ୍ଟ ରୁମ୍ ଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ, ବିଲ୍ଡର ଗିରଫ - NILACHALA SAMACHAR
Article Image

ଶ୍ୟାମକୁଞ୍ଜ ଗଳିରେ ଆପାର୍ଟମେଣ୍ଟ ରୁମ୍ ଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ, ବିଲ୍ଡର ଗିରଫ

🗂 Crime | 🕒 15 Jun 2026, 02:36 IST



ପୁରୀ,୧୪/୬ : ଟାଉନ ଥାନା ଅଧୀନ ଶ୍ୟାମକୁଞ୍ଜ ଗଳିରେ ଥିବା ବଦ୍ରିନାଥ ନିବାସ ଆପାର୍ଟମେଣ୍ଟର ଗୋଟିଏ ରୁମ୍‌କୁ ୨ ଥର ବିକ୍ରି କରି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ବିଲ୍ଫରକୁ ପୁଲିସ୍ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା ଉକ୍ତ ଥାନା ଅଧୀନ ବବ୍ରୁବାହନ ସାମନ୍ତରା ଓରଫ ବାବୁ( ୫୨)। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ପଠାଯାଇଛି। ପୁଲିସ୍ ସୂଚନା ଅନୁଯାୟୀ, ଶ୍ୟାମକୁଞ୍ଜ ଗଳିରେ ବଦ୍ରିନାଥ ନିବାସ ନାମକ ଏକ ଆପାର୍ଟମେଣ୍ଟ ନିର୍ମାଣ କରିଥିଲେ ବାବୁ ଓ ଶତ୍ରୁଘ୍ନ ବଳିୟାରସିଂହ । ବ୍ରହ୍ମପୁରର ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ପୁଅ ସମ୍ବିତଙ୍କୁ ଉକ୍ତ ଆପାର୍ଟମେଣ୍ଟରେ ୩୨ ନମ୍ବର ଗୃହକୁ ବିକ୍ରି କରିବା ଲାଗି ପର୍ଯ୍ୟାୟକ୍ରମେ ୨୨ ଲକ୍ଷ ୫୦ ହଜାର ନେଇଥିଲେ। ମାତ୍ର ସମ୍ବିତ ନାମରେ ପଞ୍ଜିକୃତ ନ କରି ଚଞ୍ଚକତା କରି ଉକ୍ତ ଘରକୁ ଭୁବନେଶ୍ଵରର ମିନତୀ ବେହେରାକୁ ବିକ୍ରି କରିଥିଲେ। ଏପ୍ରିଲ ୨୨ରେ ପୁରୀ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମିନତୀଙ୍କ ନାମରେ ରେଜିଷ୍ଟ୍ରି କରିଛନ୍ତି। ଏ ସମ୍ପର୍କରେ ସମ୍ବିତ୍ ଜାଣିବା ପରେ ଗତ ୩୦ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ସେହିଭଳି ଉକ୍ତ ଆପାର୍ଟମେଣ୍ଟର ୧୦ ନମ୍ବର ରୁମ୍‌କୁ ଉଷାରାଣୀ


ସୁବୁଦ୍ଧି ନାମକ ମହିଳାଙ୍କୁ ବିକ୍ରି କରିଥିଲେ ବାବୁ ଓ ଶତ୍ରୁଘ୍ନ ଏପ୍ରିଲ ୨୭ରେ ସମସ୍ତ ଟଙ୍କା ନେଇ ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟରେ ରେଜିଷ୍ଟ୍ରି ମଧ୍ୟ କରିଥିଲେ । ମାତ୍ର ଗତ ଏପ୍ରିଲ ୩୧ ତାରିଖ ରାତ୍ର ୮ଟାରେ ଉଷାରାଣୀଙ୍କ ଘରକୁ ବାବୁ ଆସି ପାଟିତୁଣ୍ଡ କରିବା ସହ ୩ ଲକ୍ଷ ଟଙ୍କା ଫେରେଇବାକୁ ଥିବା ଏଗ୍ରିମେଣ୍ଟକୁ ଚିରି ଫୋଫାଡି ଦେଇଥିଲା ଏବଂ ଉଷାରାଣୀଙ୍କୁ ଶୀଘ୍ର ଉକ୍ତ ଘର ଛାଡ଼ିବାକୁ କହିଥିଲା। ଘର ନ ଛାଡ଼ିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ପୁଣି ୫ରେ ଉଷାରାଣୀ ଓ ତାଙ୍କ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ସୁବୁଦ୍ଧି ସକାଳ ୮ଟାରେ ଶ୍ରୀମନ୍ଦିରରୁ ଯାଇ ଘରକୁ ଫେରୁଥିବାବେଳେ ବଡ଼ଦାଣ୍ଡରେ ଉଷାରାଣୀ ଓ ପୂର୍ଣ୍ଣଚନ୍ଦ୍ରକୁ ମାଡ଼ ମାରିଥିଲା। ପରେ ଆପାର୍ଟମେଣ୍ଟକୁ ଯାଇ ରୁମକୁ ପଶିବାକୁ ଦେଲା ନାହିଁ । ଏପରିକି ଘରର ତାଲା ଭାଙ୍ଗି ୪୨ ହଜାର ଟଙ୍କା, ୩ ଭରି ସୁନାଗହଣା ଓ ଏଲଇଡି ଲୁଟି ନେଇଥିଲା ବାବୁ । ଉଷାରାଣୀକୁ ଓ ତାଙ୍କ ସ୍ବାମୀକୁ ଅନ୍ୟ ଏକ ରୁମ୍‌ରେ ତାଲା ମାରି ଫେରାର ହୋଇଯାଇଥିଲା। ଏ ସମ୍ପର୍କରେ ଉଷାରାଣୀ ୨ଥର ଥାନାରେ ଅଭିଯୋଗ କରିଥିବାବେଳେ ସୂର୍ଯ୍ୟନାରାୟଣ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ।

💬 Leave a Comment

🗨️ Approved Comments

No comments yet.

🔗 Share this article: