ଆଜି ମହାପ୍ରଭୁଙ୍କ ପବିତ୍ର ନବଯୌବନ ଦର୍ଶନ, ସାଢ଼େ୨ଟା ରୁ ସାଢ଼େ ୩ଟା ଯାଏ ପରମାଣିକ ଦର୍ଶନ କରିବେ ଶ୍ରଦ୍ଧାଳୁ - NILACHALA SAMACHAR
Article Image

ଆଜି ମହାପ୍ରଭୁଙ୍କ ପବିତ୍ର ନବଯୌବନ ଦର୍ଶନ, ସାଢ଼େ୨ଟା ରୁ ସାଢ଼େ ୩ଟା ଯାଏ ପରମାଣିକ ଦର୍ଶନ କରିବେ ଶ୍ରଦ୍ଧାଳୁ

🗂 Art & Culture | 🕒 14 Jul 2026, 11:01 IST

ପୁରୀ ୧୪ /୭ : ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଦୀର୍ଘ ୧୪ ଦିନ ପରେ ମହାପ୍ରଭୁଙ୍କୁ ଦେଖିବାର ସୁଯୋଗ ମିଳିବ । ହେଲେ ଭକ୍ତଙ୍କୁ ଅଧିକ ସମୟ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ଦେବନି ପ୍ରଶାସନ । ସ୍ୱଳ୍ପ ସମୟ ନିମନ୍ତେ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଛାଡ଼ିବାକୁ ଯୋଜନା କରାଯାଇଛି । ଅତିବେଶିରେ ୨ରୁ ୩ଘଣ୍ଟା ଦର୍ଶନ ବ୍ୟବସ୍ଥାର ସୁବିଧା ଦେବାକୁ ପ୍ରାଶାସନିକ ପ୍ରସ୍ତୁତି ହୋଇଛି । ସେପଟେ ଏହା ପରଦିନ ଅର୍ଥାତ୍‌ ବୁଧବାର ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନର ସୁଯୋଗ ଭକ୍ତଙ୍କୁ ଆଦୌ ନଦେବାକୁ ପ୍ରାଶାସନିକ ନିଷ୍ପତ୍ତି ହୋଇଛି । ପ୍ରାଶାସନିକ ଏହି ନିଷ୍ପତ୍ତିକୁ ନେଇ ଭକ୍ତ ଖପ୍ପା ହୋଇଛନ୍ତି । ଭକ୍ତମାନେ ୧୬ ତାରିଖ ଗୁରୁବାର ରଥଯାତ୍ରା ଦିନ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ତେଣୁ ଅପେକ୍ଷା ଆତୁର ଭକ୍ତଙ୍କ ଭିଡ଼ ରଥଯାତ୍ରାରେ ବଢ଼ିବାର ଅନୁମାନ କରାଯାଉଛି ।


ଶ୍ରୀଜଗନ୍ନାଥ ମନ୍ଦିର ନୀତି ନିର୍ଘଣ୍ଟ ମୁତାବକ ମଙ୍ଗଳବାର ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ସକାଳ ୯ଟାରେ, ବନକଲାଗି ସକାଳ ୯ଟାରୁ ୧୨ଟା ଭିତରେ, ଶ୍ରୀସୁଦର୍ଶନ ଦେବ ବୁଣାଟ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ, ମଙ୍ଗଳ ଆଳତି ଦିନ ସାଢ଼େ ୧୨ଟା, ଅବକାଶ ଦିନ ୧ଟା ୧୫, ଦଶବତାର ଠାକୁରଙ୍କ ବାହୁଡ଼ା ବିଜେ ଦିନ ସାଢ଼େ ୧ଟା, ତାଟି ଫିଟିବା ଦିନ ୨ଟା ସୁଦ୍ଧା ହେବ । ଶ୍ରୀଜିଉମାନଙ୍କ ଦର୍ଶନ ସାଢ଼େ ୨ଟାରୁ ଆରମ୍ଭ ହେବ । ପ୍ରଥମେ ପାରମାଣିକ ଦର୍ଶନ (ଭିତର କାଠ ଠାରୁ) ଦିନ ସାଢ଼େ ୩ଟା ପର୍ଯ୍ୟନ୍ତ ଓ ପରେ ସର୍ବସାଧାରଣ ଦର୍ଶନ (ଭିତର କାଠା ଠାରୁ) ସାଢ଼େ ୩ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଚାଲିବ । ନେତ୍ରୋତ୍ସବ ବନ୍ଦାପନା ସନ୍ଧ୍ୟା ସାଢ଼େ ୬ଟାରେ, ଗୋପାଳବଲ୍ଲଭ ଓ ସକାଳ ଧୂପ ରାତି ୯ଟା, ଭୋଗମଣ୍ଡପ ରାତି ସାଢ଼େ ୧୦ଟା ସୁଦ୍ଧା, ମଧ୍ୟାହ୍ନ ଧୂପ ରାତି ସାଢ଼େ ୧୨ଟା ସୁଦ୍ଧା, ସନ୍ଧ୍ୟା ଆଳତି ରାତି ୨ଟା ୧୦, ଦତ୍ତ ମହାପାତ୍ର ସେବକ ବନକ ଲାଗିକୁ ପ୍ରବେଶ ରାତି ୪ଟାରେ ହେବ ।


ସେହିପରି ବୁଧବାର ୧୫ ତାରିଖରେ ସକାଳ ୭ଟା ସୁଦ୍ଧା ବନକଲାଗି ସାରି ଦତ୍ତ ମହାପାତ୍ର ବାହାରିବେ । ମଙ୍ଗଳ ଆଳତି ସକାଳ ସାଢ଼େ ୭ଟା, ଗୋପାଳବଲ୍ଲଭ ଓ ସକାଳ ଧୂପ ଦିନ ୧୦ଟା, ରଥ ଆଜ୍ଞାମାଳ ବିଜେ ଦିନ ସାଢ଼େ ୧୧ଟା, ଭୋଗମଣ୍ଡପ ଦିନ ସାଢ଼େ ୧୨ଟା ସୁଦ୍ଧା ସରିବ । ସନ୍ଧ୍ୟା ଆଳତି ୪ଟା, ଧ୍ୱଜା ଆଜ୍ଞାମାଳ ବିଜେ ସନ୍ଧ୍ୟା ୬ଟା, ଅଙ୍କୁରାରୋପଣ ସନ୍ଧ୍ୟା ସାଢ଼େ ୬ଟାରେ ହେବ । ବଡ଼ସିଂହାର ବେଶ ସନ୍ଧ୍ୟା ସାଢ଼େ ୮ଟା ଓ ବାହୁଡ଼ା ଆଳତି ସାଢ଼େ ୯ଟା ସୁଦ୍ଧା ସରିବ । ପରେ ମହାପ୍ରଭୁମାନେ ରଥାରୂଢ଼ ହେବା ନିମନ୍ତେ ରାତିରେ ପ୍ରସ୍ତୁତ ହେବେ । ଶ୍ରୀମୁଖ ଖଣ୍ଡୁଆ ରାତି ୯ଟା ୪୫, ବାହୁଟ କଣ୍ଟ ୧୦ଟା ୪୫, ସେନାପଟା ଲାଗି ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରହିବେ । ରଥଯାତ୍ରା ନିମନ୍ତେ ଅସୁସ୍ଥତାରୁ ଉଠିଥିବା ମହାପ୍ରଭୁଙ୍କୁ ରାତି ଅନିଦ୍ରା ରଖି ନୀତି ସାରିବାକୁ ପ୍ରଶାସନିକ ନିଷ୍ପତ୍ତି ହୋଇଛି ।


💬 Leave a Comment

🗨️ Approved Comments

No comments yet.

🔗 Share this article: