ନୀଳାଦ୍ରି ବିଜେ ପାଇଁ ପୁରୀରେ ଭକ୍ତଙ୍କ ସୁଅ, ରସଗୋଲା ଭୋଗ ଲଗାଇ ପାଳିଲେ ରସଗୋଲା ଦିବସ - NILACHALA SAMACHAR
Article Image

ନୀଳାଦ୍ରି ବିଜେ ପାଇଁ ପୁରୀରେ ଭକ୍ତଙ୍କ ସୁଅ, ରସଗୋଲା ଭୋଗ ଲଗାଇ ପାଳିଲେ ରସଗୋଲା ଦିବସ

🗂 Art & Culture | 🕒 27 Jul 2026, 17:50 IST

ପୁରୀ ୨୭/୭ : ଆଜି ରଥଯାତ୍ରାର ଅନ୍ତିମ ପର୍ବ । ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି । ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହ ଆଡ଼ପ ମଣ୍ଡପକୁ ଯାତ୍ରା କରିଥିଲେ । ଆଡ଼ପ ମଣ୍ଡପରୁ ମହାପ୍ରଭୁ ବାହୁଡ଼ି ଆସି ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ରଥ ଉପରେ ବିରାଜମାନ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଅଧରପଣା ଓ ସୁନା ବେଶ ପରେ ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ।


ଆଜି ମହାପ୍ରଭୁ ଶ୍ରୀମନ୍ଦିର ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ କରିବେ । ତେବେ ପତ୍ନୀ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରାରେ ସାଥିରେ ନେଇ ନଥିବାରୁ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ ରୋଶ କରିଛନ୍ତି । ଆଜି ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ବେଳେ ରାସ୍ତା ଓଗାଳିବେ ମା' ମହାଲକ୍ଷ୍ମୀ । ଜୟ ବିଜୟ ଦ୍ୱାର ପାଖରେ ହେବ ବଚନିକା । ମହାପ୍ରଭୁ ନିଜର ପ୍ରାଣପ୍ରିୟା ପତ୍ନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନ ଭଞ୍ଜନ କରିବେ । ଏଣୁ ଆଜିର ଅନ୍ତିମ ପର୍ବ ନୀଳାଦ୍ରି ବିଜେକୁ ଦେଖିବା ପାଇଁ ଭକ୍ତଙ୍କ ଆଗମନ ହେବାରେ ଲାଗିଛି ।


ମହାପ୍ରଭୁ ଶ୍ରୀଜଗନ୍ନାଥ ପତ୍ନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ଆଜି ମାନଭଞ୍ଜନ କରୁଥିବାରୁ ପ୍ରତ୍ୟେକ ଓଡ଼ିଆ ଆଜିର ଦିନକୁ ବିଶ୍ଵ ରସଗୋଲା ଦିବସ ଭାବେ ପାଳନ କରୁଛନ୍ତି । ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କୁ ରସଗୋଲା ଭୋଗ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି । ରଥ ନିକଟ ଆଜି ରସଗୋଲା ଦୋକାନ ପସରା ଦେଖିବାକୁ ମିଳିଛି । ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରି ନିଜ ବନ୍ଧୁ ପରିବାର ବର୍ଗଙ୍କୁ ରସଗୋଲା ଖୁଆଇ ରସଗୋଲା ଦିବସକୁ ପାଳନ କରୁଛନ୍ତି ।


ମୁମ୍ବାଇରୁ ଆସିଥିବା ଜଣେ ଶ୍ରଦ୍ଧାଳୁ ନିଧି ଧାମେଚା କହିଛନ୍ତି," ଆମେ ଯେତେ ଚେଷ୍ଟା କଲେବି ମହାପ୍ରଭୁଙ୍କ କୃପା ନ ହେଲେ ଆମେ ତାଙ୍କ ପାଖକୁ ଆସି ପାରିବାନି । ମହାପ୍ରଭୁଙ୍କ କୃପାରୁ ମୁଁ ପବିତ୍ର ରଥଯାତ୍ରାରେ ଆସି ଏଠି ପହଞ୍ଚି ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କଲି । ପ୍ରଥମ ଥର ପାଇଁ ପୁରୀ ଆସିଥିବା ବେଳେ ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିବା ବହୁତ୍ ଭାଗ୍ୟର କଥା । ଆମେ ବହୁତ୍ ଦୂରରୁ ଆସିଛୁ । ଦର୍ଶନ ମିଳିବ କି ନାହିଁ ଆମେ ସନ୍ଦେହରେ ଥିଲୁ । ହେଲେ ମହାପ୍ରଭୁଙ୍କ କୃପାରୁ ବହୁତ୍ ଭଲ ଦର୍ଶନ ହେଲା ।"


ମୁମ୍ବାଇ ରୁ ଆସିଥିବା ଆଉ ଜଣେ ଶ୍ରଦ୍ଧାଳୁ ପ୍ରଭୁ କହିଛନ୍ତି," ମହାପ୍ରଭୁଙ୍କ କୃପାରୁ ବହୁତ୍ ଭଲ ଦର୍ଶନ ହେଲା । ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ମତେ ଭାବୁକ କରିଦେଇଛି । ତାଙ୍କର ଇଚ୍ଛା ବିନା ଏହା ସମ୍ଭବ ନୁହେଁ । ଆଜି ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରି ମୁଁ ଧନ୍ୟ ହୋଇଯାଇଛି । ମହାପ୍ରଭୁ ସମସ୍ତଙ୍କ ମଙ୍ଗଳ କରନ୍ତୁ ଏହା ହିଁ ମୋର ପ୍ରାର୍ଥନା ।"



ଯାଜପୁର ଧାନମଣ୍ଡଳରୁ ଆସିଥିବା ସୁରେଶ ନାୟକ କହିଛନ୍ତି," ରଥଯାତ୍ରାରେ ସାମିଲ ହୋଇ ଆମର ଜୀବନ ଧନ୍ୟ ହୋଇଯାଇଛି । ପ୍ରତିବର୍ଷ ଆମେ କିଛି ବନ୍ଧୁ ସଂକୀର୍ତ୍ତନ ମଣ୍ଡଳୀ କରି ମହାପ୍ରଭୁଙ୍କ ରଥ ଆଗରେ ତାଙ୍କରି ନାମ ସଂକୀର୍ତ୍ତନ କରୁ । ଏହା ହିଁ ମୋ ପାଇଁ ବହୁତ୍ ବଡ଼ ଭାଗ୍ୟ । ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛି ରଥଯାତ୍ରାରେ ଆସିବାକୁ ସେ ଡୋରି ଲଗାଇ ଥାଆନ୍ତୁ ।"

💬 Leave a Comment

🗨️ Approved Comments

No comments yet.

🔗 Share this article: