🗂 Art & Culture | 🕒 11 Jun 2025, 15:15 IST
ପୁରୀ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାପ୍ରଭୁଙ୍କ କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ କହିଲେ ମୁଖ୍ୟମନ୍ତ୍ରୀ । ଦେବସ୍ନାନ ନୀତି ବର୍ତ୍ତମାନ ସୁଦ୍ଧା ସୁରୁଖୁରୁରେ ଚାଲିଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ଅନ୍ୟପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲୋକାରଣ୍ୟ ହୋଇଉଠିଛି ପୁରୀ । ପୁରୀ ବଡ଼ଦାଣ୍ଡ ହୋଇଉଠିଛି ଜନସମୁଦ୍ର ।
ଆଜି ହେଉଛି ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା । ଆଜି ମହାପ୍ରଭୁ ସ୍ନାନବେଦୀରେ 108 ସୁବାସିତ ଜଳରେ ସ୍ନାନ କରିବେ । ଆଉ କିଛି ସମୟ ପରେ ଆରମ୍ଭ ହେବ ମହାପ୍ରଭୁ ସ୍ନାନ । ସକାଳୁ ସକାଳୁ ନୀତି ନିଘଣ୍ଟ ଅନୁସାରେ ଧାଡି ପହଣ୍ଡିରେ ଆସି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।
ପବିତ୍ର ସ୍ନାନଯାତ୍ରାର ସାକ୍ଷୀ ହେବାକୁ ପୁରୀରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ନାନ ମଣ୍ଡପରୁ ମହାପ୍ରଭୁଙ୍କୁ ଦର୍ଶନ କରି କୃପାଭିକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କୁ ଦର୍ଶନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସୁରୁଖୁରୁରେ ପହଣ୍ଡି କାର୍ଯ୍ୟକ୍ରମ ହେଲା । ପ୍ରଥମ ଥର ପାଇଁ ସ୍ନାନଯାତ୍ରା ପହଣ୍ଡି ବିଜେରେ ସୌଭାଗ୍ୟ ପ୍ରାପ୍ତି ହେଲା । ଆଗକୁ କିପରି ରଥଯାତ୍ରା ସୁରୁଖୁରରେ ହେବ । ଓଡିଶାର ଲୋକେ କିପରି ସୁଖ ଶାନ୍ତିରେ ରହିବେ ତାହା ପ୍ରାର୍ଥନା କଲି । ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସୁନ୍ଦର ଭାବେ ଏହି କାର୍ଯ୍ୟକ୍ରମ କରାଯାଉଛି । ଆଗକୁ ବହୁତ ଭଲ ଭାବରେ ରଥଯାତ୍ରା କାର୍ଯ୍ୟ ସମ୍ପନ୍ନ ହେବ ।’
ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ‘ସୁରୁଖୁରୁରେ ପହଣ୍ଡି ଓ ମଙ୍ଗଳ ଆଳତୀ କାର୍ଯ୍ୟ ସମ୍ପନ୍ନ ହୋଇଛି । ସୁରୁଖୁରୁରେ ସବୁ କାମ ଚାଲିଛି । ଟିକେ ଟିକେ ବର୍ଷା ହେଉଛି । ଇନ୍ଦ୍ରଦେବଙ୍କ କୃପା ରହିଛି । ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ସନ୍ଧ୍ୟା ବେଳେ ସାହାଣମେଳା ହେବ । ମୁଖ୍ୟମନ୍ତ୍ରୀ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥଖଳାରେ କିପରି କାର୍ଯ୍ୟ ଚାଲିଛି ତାହାର ସମୀକ୍ଷା କରିଥିଲେ । ସାହାଣମେଳା ଦର୍ଶନ ଭକ୍ତ କେତେଟା ଯାଏଁ କରିବେ ସନ୍ଧ୍ୟା ସୁଦ୍ଧା ସବିଶେଷ ସୂଚନା ପ୍ରଦାନ କରାଯିବ ।
ସ୍ନାନବେଦୀରେ ସ୍ନାନ କରିବା ପରେ ହାତୀ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ଏହା ପରେ 15 ଦିନ ଅଣସର ଘରେ ରହିବେ ଶ୍ରୀକ୍ଷେତ୍ର ସାଆନ୍ତେ । ଆସନ୍ତା 15 ଦିନ ଦିନ ଯାଏ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ଏଥିପାଇଁ ଆଜି ପୁରୀ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ମହାପ୍ରଭୁ ଜଗନ୍ନାଥଙ୍କୁ ଟିକେ ପାଖରୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛନ୍ତି ଶ୍ରଦ୍ଧାଳୁ ।
No comments yet.