🗂 Art & Culture | 🕒 17 Jun 2025, 01:55 IST
ପୁରୀ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ । ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଉପଚାର । ଅଣସର ଘରେ ଦଇତାପତି ସେବାୟତମାନେ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି ସହ ଶ୍ରୀଅଙ୍ଗ ଫିଟା ନୀତି ଆରମ୍ଭ କରିଛନ୍ତି । ଆଜି ଫୁଲୁରି ତେଲ ଆସିବା ପରେ ଲାଗିହେବ ଫୁଲୁରି ତେଲ । ବଡ଼ଓଡ଼ିଆ ମଠ ପକ୍ଷରୁ ଚତୁର୍ଦ୍ଧାବିଗ୍ରହଙ୍କ ଲାଗି ଏହି ଫୁଲୁରି ତେଲ ଯୋଗା ଯାଇଥାଏ ।
ବଡ଼ଓଡ଼ିଆ ମଠର ସଦସ୍ୟ ମାନେ ପ୍ରାୟ ୬ ସେର ଫୁଲୁରି ତେଲ ନେଇ ଶ୍ରୀମନ୍ଦିରକୁ ଯାଇ ଦଇତାପତିଙ୍କୁ ଅର୍ପଣ କରିଥାନ୍ତି । ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣ ଘର ଭୋଗ ସଂପନ୍ନ ହେବାପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଅଣସର ଦ୍ୱାର ଖୋଲାଯାଇ ପତି ମହାପାତ୍ର ୩ଟି ରୂପା ପିଙ୍ଗଣରେ ତେଲକୁ ନେଇ ସଂସ୍କାର କରିବା ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି ।
ବିଶ୍ୱାସ ରହିଛି ଏହି ଫୁଲୁରି ତେଲ ମହାପ୍ରଭୁଙ୍କ ଶରୀରରେ ଲେପନ କରାଗଲେ ଶରୀରର ପୀଡ଼ା କମ୍ ହୋଇଥାଏ । ୧୦୮ ଗରା ଜଳରେ ଗାଧେଇବା ପରେ ମହାପ୍ରଭୁଙ୍କୁ ପ୍ରବଳ ଜ୍ବର । ତେଣୁ ମହାପ୍ରଭୁଙ୍କ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସଂରକ୍ଷଣ ପାଇଁ ଗୁପ୍ତ ନୀତି ଚାଲିଛି । ନିବୁଜ ଅନ୍ଧାର ଘରେ ତାଟି ପକାଇ ଦୀପ ଜଳାଇ ଉପଚାର କରାଯାଉଛି ।
No comments yet.