ପର୍ଯ୍ୟଟକଙ୍କୁ ଲୁଟୁଛନ୍ତି ଟୁର୍ ଆଣ୍ଡ ଟ୍ରାଭେଲ୍ସ ଅପରେଟର୍, ହଠାତ୍ ଚଢାଉ କଲା ପୋଲିସ୍
🗂 Local | 🕒 19 Aug 2025, 20:06 IST
ପୁରୀ ସହରରେ ଛତୁ ଫୁଟିଲା ଭଳି ଖୋଲିଛି ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା। ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବରେ ବିନା ପଞ୍ଜିକରଣରେ ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା ବ୍ୟବସାୟ କରୁଥିବା ନେଇ ଅଭିଯୋଗ ଆସିବା ପରେ ପୋଲିସ ଚଢାଉ ଅଭିଯାନ ଆରମ୍ଭ କରିଛି। ବେଆଇନ୍ ଭାବରେ ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା ମାନେ ବ୍ୟବସାୟ ଆଳରେ ପୁରୀକୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଠକେଇ ସହିତ ମାନସିକ ନିର୍ଯ୍ୟାତନା ଏବଂ ଦୁର୍ବ୍ୟବହାର କରୁଥିବା ନେଇ ଅଭିଯୋଗ ଆସିବା ପରେ ପୁରୀ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ ଆରମ୍ଭ ହୋଇଛି। ପୁରୀ ସହରର ଗଳିକନ୍ଦିରେ ଏବେ ଛତୁ ଫୁଟିଲା ଭଳି ଟୁର ଆଣ୍ଡ ଟ୍ରାଭେଲ ବ୍ୟବସାୟ ଚାଲିଛି। ତେବେ ଅଧିକାଂଶ ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା ପଞ୍ଜିକରଣ କରିନଥିବା ବେଳେ ସରକାରଙ୍କ ନିୟମ କାନୁନକୁ କେହି ମାନୁନାହାନ୍ତି। ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲେଇ ନେବା ଆଳରେ ପର୍ଯ୍ୟଟକମାନଙ୍କୁ ଠକେଇ କରିବା ସହ ଆର୍ଥିକ ଶୋଷଣ କରୁଛନ୍ତି। ଅନେକ ପର୍ଯ୍ୟଟକ ଦୁର୍ବ୍ୟବହାରର ଶିକାର ମଧ୍ୟ ହେଉଛନ୍ତି। ଏନେଇ ଏକାଧିକ ଅଭିଯୋଗ ପୁରୀ ଏସପିଙ୍କ ନିକଟରେ ପହଞ୍ଚିବା ପରେ ଏସପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ପୁରୀର ଅତିରିକ୍ତ ଏସପି, ଡିଏସପିଙ୍କ ନେତୃତ୍ୱରେ ବିଭିନ୍ନ ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା ଉପରେ ଚଢ଼ାଉ ଜୋରଦାର କରାଯାଇଛି। କିଛି ବ୍ୟକ୍ତିଙ୍କୁ ଅଟକ ରଖାଯାଇ କାଗଜପତ୍ର ଯାଞ୍ଚ କରୁଛି ପୋଲିସ। ଯେଉଁ ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା ସରକାରଙ୍କ ନିୟମକୁ ଖିଲାପ କରି ବ୍ୟବସାୟ କରୁଥିବେ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି କହିଛନ୍ତି।
ସେପଟେ ପୋଲିସର ଏଭଳି ଜୋରଦାର ଚଢାଉକୁ ସାଧାରଣ ରେ ସ୍ବାଗତ କରାଯାଇଛି । ଅନେକ ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା ପର୍ଯ୍ୟଟକଙ୍କୁ ଠକେଇ କରୁଥିବା ଯୋଗୁ ପୁରୀ ସହର ବଦନାମ ହେଉଛି। ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏକ ଖରାପ ଅନୁଭୂତି ନେଇ ଫେରୁଛନ୍ତି। ଯାହାକି ପର୍ଯ୍ୟଟନ ଶିଳ୍ପ ଉପରେ ଖରାପ ପ୍ରଭାବ ପକାଉଛି । କେତେକ ଅସାମାଜିକ ବ୍ୟକ୍ତିମାନେ ମଧ୍ୟ ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା ଖୋଲି ପର୍ଯ୍ୟଟକଙ୍କ ଠାରୁ ଟଙ୍କା ଲୁଟ୍ କରୁଛନ୍ତି। ତେବେ କେବଳ ଥରେ ଦୁଇଥର ଚଢ଼ାଉ ନକରି ନିୟମିତ ଅନ୍ତରାଳରେ ଏଭଳି ବେଆଇନ୍ ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା ଉପରେ ଚଢ଼ାଉ କରାଗଲେ ପର୍ଯ୍ୟଟକମାନେ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜିବୀ କହିଛନ୍ତି।
ପୁରୀକୁ ଦିନକୁ ଦିନ ପର୍ଯ୍ୟଟକଙ୍କର ଆଗମନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ରିକ୍ସା ଚାଳକ ଠାରୁ ଆରମ୍ଭ କରି ହୋଟେଲ ବ୍ୟବସାୟୀ ମାନେ ମଧ୍ୟ ଆର୍ଥିକ କ୍ଷେତ୍ରରେ ମଧ୍ୟ ବେଶ୍ ଲାଭବାନ ହୋଇପାରୁଛନ୍ତି୍। ତେବେ ପୁରୀ ରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ପୋଲିସ ପକ୍ଷରୁ ପର୍ଯ୍ୟଟକଙ୍କୁ ଠକେଇ କରୁଥିବା ବିଭିନ୍ନ ଅନୁଷ୍ଠାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।
ପୁରୀ ଏସପି ପିନାକ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆମ ନିକଟ କୁ କିଛି ଅଭିଯୋଗ ଆସିବା ପରେ ଏହି ଚଢାଉ ଆରମ୍ଭ ହୋଇଛି । ପୁରୀ ସହର ରେ ଅନେକ ବ୍ୟକ୍ତି ବେଆଇନ ଭାବେ ଟୁର ଟ୍ରାଭେଲ ସଂସ୍ଥା ଖୋଲି ବ୍ୟବସାୟ କରୁଛନ୍ତି। ପର୍ଯ୍ୟଟକ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲାଇବା କହି ଠକେଇ କରୁଛନ୍ତି। ଆର୍ଥିକ ଶୋଷଣ କରୁଛନ୍ତି। ଏପରିକି ପର୍ଯ୍ୟଟକ ଙ୍କ ଠାରୁ ଜୋର୍ ଜବର ଦସ୍ତ ଟଙ୍କା ଆଦାୟ କରିବା ସହ ଖରାପ ବ୍ୟବହାର ସହ ଆକ୍ରମଣ ମଧ୍ୟ କରୁଛନ୍ତି। କେତେକ ଅସାମାଜିକ ଲୋକ ଟୁର ଟ୍ରଭେଲ ବ୍ୟବସାୟ ଆଳରେ ବିଭିନ୍ନ ଅପରାଧ କାର୍ଯ୍ୟ କରୁଛନ୍ତି। ତେବେ ଏହାକୁ ନେଇ ଅଭିଯୋଗ ଆସିବା ପରେ ଆମେ ପୁରୀ ସହର ରେ ଥିବା ଟୁର ଟ୍ରଭେଲ୍ ସଂସ୍ଥା ଉପରେ ଚଢ଼ାଉ ଆରମ୍ଭ କରିଛୁ। ସେମାନେ ସରକାରୀ ଅନୁମତି ନେଇ ବ୍ୟବସାୟ କରୁଛନ୍ତି କି ନାହିଁ ତାହା ଆମେ ଜାଞ୍ଜ କରୁଚୁ। ନିୟମ ଅନୁଯାୟୀ ଟୁର ଟ୍ରାଭେଲ ବ୍ୟବସାୟ ପାଇଁ ସରକାର ଙ୍କ ପର୍ଯ୍ୟଟନ ବିଭାଗ ର ଏକ ଅନୁମତି ଦରକାର। ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ସରକାର ଙ୍କ ଅନେକ ଗାଇଡ ଲାଇନ ରହିଚି। ସେହିପରି ଟ୍ରେଡ୍ ଲାଇସେନ୍ସ, ଜିଏସଟି ରେଜିଷ୍ଟ୍ରେସନ୍ ଦରକାର। ହେଲେ ଆମେ ଦେଖଚୁ ଅଧିକାଂଶ ଟୁର ଟ୍ରାଭେଲ ସଂସ୍ଥା ଏହି କାଗଜ ପତ୍ର ନାହିଁ। ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ବେଆଇନ ଭାବରେ ଟୁର ଟ୍ରାଭେଲ ବ୍ୟବସାୟ ନେଇ ଆମେ ଅନୁମତି ଦେବୁ ନାହିଁ। ତେବେ ପୁରୀ ସହର କେତେ ଟୁର ଟ୍ରାଭେଲ୍ ସଂସ୍ଥା କାର୍ଯ୍ୟ କରୁଚି ତାହା ଆମ ପାଖରେ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ତେବେ ପ୍ରଥମ ଥର ପାଇଁ ଆମେ ଏବେ ଏହି ଭଳି ପଦକ୍ଷେପ ନେଇଛୁ। ଆଜି ସନ୍ଧ୍ୟା ସୁଦ୍ଧା ପୁରୀ ସହର ରେ ପଞ୍ଜିକରଣ ରେ କେତେ ଓ ବିନା ପଞ୍ଜିକରଣ କେତେ ଟୁର ଟ୍ରାଭେଲ ସଂସ୍ଥା କାର୍ଯ୍ୟ କରୁଚି ତାହା ଆମେ ଅବଗତ ହୋଇଯିବୁ। ପୁରୀ ସହର ରେ ସବୁ ଥାନା ଅଞ୍ଚଳ ରେ ଏ ନେଇ ଚଢାଉ ଜାରି ରହିଚି।