🗂 Art & Culture | 🕒 22 Aug 2025, 14:59 IST
ପୁରୀ ଯେତେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଗଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଭେଦ କରି ପୁଣି ଜଣେ ଶ୍ରଦ୍ଧାଳୁ ଶ୍ରୀ ମନ୍ଦିର ଉପରକୁ ଚଢ଼ିବା ପାଇଁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି। ଶ୍ରୀ ମନ୍ଦିର ନୃସିଂହ ମନ୍ଦିର ନିକଟ ରୁ ଶ୍ରୀ ମନ୍ଦିର ଉପରକୁ ଚଢ଼ିବା ବେଳେ ଜଣେ ଶ୍ରଦ୍ଧାଳୁ କୁ ଶ୍ରୀ ମନ୍ଦିର ରେ ମୁତୟନ ଥିବା ଜଗନ୍ନାଥ ମନ୍ଦିର ପୁଲିସ ଧରିଛି। ତେବେ ଶ୍ରଦ୍ଧାଳୁ ଜଣଙ୍କ ହେଉଛନ୍ତି ଉତ୍ତରପ୍ରଦେଶ ର ମନୋଜ ସିଂ ବୋଲି ଜଣାପଡିଛି। ତେବେ ସେ କାହିଁକି ଶ୍ରୀ ମନ୍ଦିର ଉପରକୁ ଚଢିବା ପାଇଁ ଉଦ୍ୟମ କଲେ ସେ ନେଇ ତାଙ୍କୁ ପୋଲିସ ପଚରାଉଚରା କରୁଚି।
ତେବେ ଗତ ୧୬ ତାରିଖ ଦିନ ଜଣେ ଭକ୍ତ ଶ୍ରୀ ମନ୍ଦିର ଉପରେ ଚଢ଼ିବା ପାଇଁ ଉଦ୍ୟମ କରି ଧରାପଡିଥିଲେ।
ଏହି ଘଟଣାକୁ ଗୁରୁତର ସହ ନେଇଥିଲା ପୁରୀ ପୁଲିସ। ଆଗାମୀ ଦିନରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନଘଟେ ସେନେଇ ପୋଲିସ ପକ୍ଷରୁ ଶ୍ରୀ ମନ୍ଦିର ଭିତରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଶ୍ରୀମନ୍ଦିର ଉପରେ ଚଢ଼ିବା ର ସମ୍ଭାବନା ଥିବା ସ୍ଥାନ ଗୁଡିକରେ ପୋଲିସ ପକ୍ଷରୁ ବ୍ୟାରିକେଡ଼ ଲଗାଯାଇ ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରାଯାଇଚି। ଶ୍ରୀମନ୍ଦିର ଭିତରେ ଥିବା ଏକାଦଶୀ ଘର ଓ ଦକ୍ଷିଣୀ ଘର ନିକଟରେ ଶ୍ରୀମନ୍ଦିର ଉପରକୁ ଚଢିବା ପାଇଁ ସୁବିଧା ଥିବାରୁ ଉକ୍ତ ସ୍ଥାନକୁ ବ୍ୟାରିକେଡ଼ ଲଗାଯାଇ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି। ଏଥିସହିତ ଉକ୍ତ ସ୍ଥାନରେ ନଜର ରଖିବାକୁ ପୋଲିସ ମୁତୟନ କରାଯାଇଛି। ତେବେ ଏହା ସତ୍ତ୍ୱେ ଜଣେ ଶ୍ରଦ୍ଧାଳୁ କିଭଳି ପୁଣି ଶ୍ରୀ ମନ୍ଦିର ଉପରକୁ ଚଢ଼ିବା ପାଇଁ ଉଦ୍ୟମ କଲେ ଏ ନେଇ ସୁରକ୍ଷା କର୍ମୀ ଜାଣିପାରିଲେନି ସେ ନେଇ ପ୍ରଶ୍ନ ଉଠିଛି। ବାରମ୍ବାର ଏହି ଘଟଣା ପ୍ରମାଣିତ କରୁଚି ଶ୍ରୀ ମନ୍ଦିର ଭିତରେ ଡ୍ୟୁଟି ରେ ଥିବା ଜେଟିପି ଓ ପୋଲିସ କର୍ମଚାରି ସଠିକ୍ କର୍ତ୍ତବ୍ୟ ତୁଳାଉ ନାହାନ୍ତି। ଯାହାକି ଶ୍ରୀ ମନ୍ଦିର ସୁରକ୍ଷା କୁ ନେଇ ବଡ ପ୍ରଶ୍ନବାଚି ସୃଷ୍ଟି ହୋଇଛି।
ଶ୍ରୀମନ୍ଦିର ଭିତରେ ଡ୍ୟୁଟିରେ ଥିବା ପୋଲିସ ଏବଂ ଜେଟିପି ମାନେ ଡ୍ୟୁଟି ସମୟରେ ଅଧିକାଂଶ ସମୟରେ ମୋବାଇଲ ଦେଖିବାରେ ବ୍ୟସ୍ତ ରହୁଛନ୍ତି। ଏହାର ଫାଇଦା ଉଠାଇ କିଛି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଉପରକୁ ଚଢ଼ି ଯାଉଥିବା ସେବାୟତ ଅଭିଯୋଗ କରୁଛନ୍ତି। ଏଣୁ ଶ୍ରୀମନ୍ଦିର ଭିତରେ ଡ୍ୟୁଟି ରେ ଥିବା ପୋଲିସ ଏବଂ ଜେଟିପି ମାନେ ସ୍ମାର୍ଟ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ସେବାୟତ ଓ ଭକ୍ତ ବାରମ୍ବାର ଦାବି କରିଆସୁଛନ୍ତି। ସେପଟେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଥିବା ଭକ୍ତ ମାନେ ଶ୍ରୀମନ୍ଦିର ଉପରେ ଚଢିବା ଅନୁଚିତ ନେଇ ସଚେତନ ପ୍ରଶାସନ ପକ୍ଷରୁ ହେବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି।
ତେବେ ଗତ ୧୬ ତାରିଖ ଦିନ ଶ୍ରୀମନ୍ଦିର ବେହରଣ ଦ୍ଵାର ନିକଟ ଦକ୍ଷିଣୀଘର କବାଟ ଉପରେ ଚଢ଼ି ଝାଡ଼ଖଣ୍ଡ ଅଞ୍ଚଳର ଜଣେ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଉପରେ ପାଖାପାଖି ୭ ଫୁଟ ଉପରକୁ ଚଢ଼ି ଯାଇଥିଲେ। ସେଠାରେ ମୁତୟନ ଥିବା ଜେଟିପି ମାନେ ଏହା ଦେଖିବା ପରେ ଶ୍ରଦ୍ଧାଳୁ ଜଣକୁ ତଳକୁ ଆଣିଥିଲେ। ସେହିପରି ଗତ କିଛି ମାସ ତଳେ ଗଞ୍ଜାମ ରୁ ଆସିଥିବା ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଉପରେ ଅଁଳା ବେଢ଼ା ଉପରକୁ ମଧ୍ୟ ଚଢ଼ି ଯାଇଥିଲେ। ଶ୍ରୀମନ୍ଦିରରେ କଡ଼ା ପୋଲିସ ପ୍ରହରା ସତ୍ତ୍ୱେ କିଭଳି ଉକ୍ତ ବ୍ୟକ୍ତି ଶ୍ରୀମନ୍ଦିର ଉପରକୁ ଚଢିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଶ୍ରୀମନ୍ଦିରର ଢ଼ିଲା ସୁରକ୍ଷା ବ୍ୟବସ୍ଥା କୁ ନେଇ ପୋଲିସକୁ କଡ଼ା ସମାଲୋଚନା ମଧ୍ୟ କରାଯାଇଥିଲା।
No comments yet.