🗂 Crime | 🕒 16 Sep 2025, 00:07 IST
ପୁରୀ, ଟ୍ରେନରେ ଯାତ୍ରୀଙ୍କ ଠାରୁ ମୋବାଇଲ ଚୋରି କରିବା ଅଭିଯୋଗରେ ଜିଆରପି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତକୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ଜିଆରପି ପକ୍ଷରୁ ସୂଚନା ମିଳିଛି ଯେ ଗତ ରବିବାର ସନ୍ଧ୍ୟାରେ ଜିଆରପି କର୍ମଚାରୀ ମହମ୍ମଦ ନୟିମ ଏବଂ ଅନ୍ୟ କର୍ମଚାରୀମାନେ ପାଟ୍ରୋଲିଂରେ ଥିବା ସମୟରେ ଏକ ବିଶେଷ ସୂତ୍ରରୁ ସୂଚନା ପାଇଥିଲେ ଯେ ଜଣେ ଯୁବକ ପ୍ଲାଟଫର୍ମ ନମ୍ବର ୩ ର ଶେଷ ଭାଗରେ ବସିଛନ୍ତି l ତାଙ୍କ ପାଖରେ ଅନେକ ମୋବାଇଲ୍ ଫୋନ୍ ରହିଛି l ଉକ୍ତ ଖବର ଅନୁଯାୟୀ ଜିଆରପି କର୍ମଚାରୀ ଉକ୍ତ ସ୍ଥାନକୁ ଯାଇଥିଲେ l ପୋଲିସକୁ ଦେଖିବା ପରେ ଯୁବକ ଜଣକ ଏକ ଅନ୍ଧାର ଅଞ୍ଚଳକୁ ପଳାଇବାକୁ ଚେଷ୍ଟା କରିଥିଲେ l ଏହି ସମୟରେ ଜିଆରପି ଟିମ ଯୁବକଙ୍କୁ କାବୁ କରିଥିଲା l ପଚରାଉଚରା ପରେ, ସେ ନିଜକୁ ଗଞ୍ଜାମ ଜିଲ୍ଲା ପାଟାପୁର ଥାନା ବୁଡୁକି ଗ୍ରାମର ବାସିନ୍ଦା ତାରାକାନ୍ତ ମହାରଣା ବୋଲି ପରିଚୟ ଦେଇଥିଲେ। ତାଙ୍କ ପାଖରୁ ତଲାସ କରିବା ପରେ ଦୁଇଟି ଓପୋ ମୋବାଇଲ୍ ଫୋନ, ଗୋଟିଏ ଭିଭୋ ମୋବାଇଲ୍ ଫୋନ ଓ ଗୋଟିଏ ଆଇଫୋନ୍ ମିଳିଥିଲା l ପଚରାଉଚରା ସମୟରେ, ଅଭିଯୁକ୍ତ ସ୍ୱୀକାର କରିଥିଲା ଯେ ଟ୍ରେନରେ ଯାତ୍ରୀମାନଙ୍କଠାରୁ ମୋବାଇଲ୍ ଫୋନ୍ ଚୋରି କରିଛି । ଏହି ସମ୍ପର୍କରେ, ପୁରୀ GRPS ମାମଲା ନଂ 83/ 2025 ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା 305(c) ଅନୁଯାୟୀ ମାମଲା ପଞ୍ଜୀକୃତ ହୋଇଥିଲା ଏବଂ ASI ଲିଙ୍ଗରାଜ ସେଠି ଏହାର ତଦନ୍ତ କରିଥିଲେ l ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଥିଲା ଏବଂ ପରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା l
No comments yet.