🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ପଞ୍ଚଭୂତ ରେ ବିଲୀନ ହେଲେ ସହିଦ ଯବାନ ଶ୍ୟାମସୁନ୍ଦର - NILACHALA SAMACHAR
Article Image

ପଞ୍ଚଭୂତ ରେ ବିଲୀନ ହେଲେ ସହିଦ ଯବାନ ଶ୍ୟାମସୁନ୍ଦର

🗂 Local | 🕒 06 Oct 2025, 01:25 IST



ପୁରୀ ଜୀବନରେ କେବେ ହାରିବ ନାହିଁ କି ଡରିବ ନାହିଁ। ଜୀବନରେ ଯେତେ ପ୍ରତିକୂଳ ଓ କଠିନ ପରିସ୍ଥିତି ଆସୁନା କାହିଁକି କ୍ରୋଧ କି ରାଗ ଦ୍ବାରା ନୁହେଁ ବରଂ ସ୍ଥିର ଓ ଶାନ୍ତିର ସହ ଏହାର ମୁକାବିଲା କରାଯାଇପାରିବ ବୋଲି କୋହ ଭରା କଣ୍ଠରେ କହିଛନ୍ତି ସହିଦ ଶ୍ୟାମସୁନ୍ଦର କରଙ୍କ ପୁତ୍ର ଆଶୁତୋଷ। ଦଶହରା ଦିନ ଶେଷ ଥର ପାଇଁ ଆଶୁତୋଷ ବାପାଙ୍କ ସହ କଥା ହୋଇଥିଲେ। ସୁଯୋଗ ମିଳିଲେ ମୁଁ ମଧ୍ୟ ଦେଶ ସେବା କରିବି ବୋଲି କହିଥିଲେ ବୀର ଯବାନଙ୍କ ପୁଅ ଆଶୁତୋଷ। ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷ କୃତ୍ୟ ତାଙ୍କ ଜନ୍ମମାଟି ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜନ୍ମଭୂମି କପିଳେଶ୍ଵରପୁର ସ୍ମଶାନ ରେ ସଂପନ୍ନ ହୋଇଥିଲା। ଆଜି କେବଳ କପିଳେଶ୍ୱରପୁର ଗାଁ ନୁହଁ ସହିଦ ଯବାନଙ୍କୁ ଝୁରୁଛି ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ସହ ସମଗ୍ର ପୁରୀ ଜିଲ୍ଲା। ଆସାମ ରାଇଫଲ ମଣିପୁରରେ ଯବାନ ଭାବେ କାର୍ଯ୍ୟରତ ଓଡ଼ିଆ ଯୁବକ ସହୀଦ ଶ୍ୟାମସୁନ୍ଦର କର। ତାଙ୍କ ଜନ୍ମମାଟି ହେଉଛି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ କପିଳେଶ୍ୱରପୁର ଦ୍ଵିତୀୟ ସ ଗାଁର ଦୀନବନ୍ଧୁ କରଙ୍କ ପୁଅ ଶ୍ୟାମସୁନ୍ଦର କର। ତାଙ୍କ ପାର୍ଥିବ ଶରୀର ଆଜି ବିରାଟ ସମ୍ମାନ ଶୋଭାଯାତ୍ରାରେ ଗାଁରେ ଆସି ପହଞ୍ଚିଥିଲା।ପୁରୀ - ବ୍ରହ୍ମଗିରି ରାସ୍ତାର ଜଗନ୍ନାଥ ରୋଡ ଛକରୁ କପିଳେଶ୍ୱରପୁର ଗାଁ ଯାଏଁ ରାସ୍ତାର ଉଭୟ ପାର୍ଶ୍ବରେ ଏକତ୍ରିତ ହୋଇଥିଲେ ବନ୍ଧୁ, ଆତ୍ମୀୟସ୍ୱଜନ, ସାଙ୍ଗସାଥି ଏବଂ ଦେଶ କୁ ଭଲପାଉଥିବା ସହ ସହ ଲୋକ। ଗାଁ ଶ୍ମଶାନରେ ଭାରତୀୟ ସ୍ଥଳ ସେନା ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବା ପରେ ଶେଷ କୃତ୍ୟ ସଂପନ୍ନ ହୋଇଥିଲା। ପଞ୍ଚଭୂତରେ ବିଲୀନ ହୋଇଛି ଶ୍ୟାମସୁନ୍ଦରଙ୍କ ପାର୍ଥିବ ଶରୀର। ଶ୍ୟାମସୁନ୍ଦରଙ୍କ ମୃତ୍ୟୁକୁ କେହି ମଧ୍ୟ ବିଶ୍ଵାସ କି ଗ୍ରହଣ କରିପାରିନାହାନ୍ତି। ବ୍ରହ୍ମଗିରି ମାଟିର ଏହି ସୁଯୋଗ୍ୟ ସନ୍ତାନଙ୍କ ପାଇଁ କେବଳ କପିଳେଶ୍ୱରପୁର କି ପୁରୀ ନୁହେଁ ସମଗ୍ର ରାଜ୍ୟ ଆଜି ଗର୍ବିତ। ବ୍ରହ୍ମଗିରି କପିଳେଶ୍ୱରପୁର ଦ୍ଵିତୀୟ ସହ ଗାଁର ଦୀନବନ୍ଧୁ କରଙ୍କ ଦୁଇ ପୁଅ ଶ୍ୟାମସୁନ୍ଦର କର ଓ ଜଗନ୍ନାଥ କର। ଦୁଇ ଭାଇ ଭାରତୀୟ ସେନାରେ ଯୋଗ ଦେବା ପାଇଁ ଏକାଠି ପାଠ ପଢି ପ୍ରସ୍ତୁତ ହୋଇଥିଲେ। ୧୯୯୯ ମହାବାତ୍ୟା ପରେ ଶ୍ୟାମସୁନ୍ଦର ଆସାମ ରାଇଫଲ ମଣିପୁରରେ ଯବାନ ଭାବେ ଯୋଗ ଦେଇ ଭାରତମାତା ର ସେବା କରି ଆସୁଥିଲେ। ତେବେ ଦଶହରା ଦିନ ସ୍ତ୍ରୀ ସ୍ଵାତିପ୍ରଭା କର ଙ୍କ ସହ ମୋବଇଲ ଯୋଗେ ବହୁତ ସମୟ କଥା ହୋଇଥିଲେ ଏବଂ କଥା ହେଉଥିବା ସମୟରେ କହିଥିଲେ ମୋ ଦେହ ଆଜି କାହିଁକି ଭଲ ଲାଗୁନି କହି ଫୋନ୍ ଟିକୁ ରଖିଦେଇଥିଲେ। ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତୁରନ୍ତ ତାଙ୍କୁ ଭାରତୀୟ ସ୍ଥଳସେନା ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗତକାଲି ତାଙ୍କ ମୃତ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ବାଟାଲିୟନ ପକ୍ଷରୁ ଶେଷ ସମ୍ମାନ ପ୍ରଦାନ କରାଯାଇ ଆଜି ସକାଳେ ପରିବାର ଲୋକଙ୍କୁ ସହିଦ ଯବାନଙ୍କ ମୃତ ଦେହ ହସ୍ତାନ୍ତର କରାଯାଇଥିଲା। ଆଜି ପାର୍ଥିବ ଶରୀର ବିରାଟ ଶୋଭାଯାତ୍ରାରେ ପୁରୀ - ବ୍ରହ୍ମଗିରି ରାସ୍ତାର ଜଗନ୍ନାଥ ରୋଡ ଛକରୁ କପିଳେଶ୍ୱରପୁର ଗାଁକୁ ଅଣାଯାଇଥିଲା।ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ସହ ବ୍ରହ୍ମଗିରି ବ୍ଲକ୍ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଗାଁରେ ପହଞ୍ଚି ପାର୍ଥିବ ଶରୀର ନିକଟରେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଗାଁ ଶ୍ମଶାନରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ସମ୍ମାନ ସ୍ୱରୂପ ଜାତୀୟ ପତାକା ତାଙ୍କ ପୁଅକୁ ହସ୍ତାନ୍ତର କରାଯାଇଥିଲା। ପୁଅ ଆଶୁତୋଷ କର ସହିଦ ବାପାଙ୍କ ମୁହଁରେ ମୁଖାଗ୍ନି ଦେଇଥିଲେ। ଜଣେ ଯବାନ ଭାବେ ଦେଶ ମାତୃକାର ସେବା କରିବା ସହ ଜଣେ ପୁଅ ହିସାବରେ ଗାଁର ଓ ପରିବାର ପାଇଁ ସେ ସବୁ କିଛି କରିଯାଇଛନ୍ତି। ଯେତେବେଳେ ବି ଗାଁକୁ ଆସନ୍ତି ଗାଁ ସେବାରେ ଲାଗି ପଡନ୍ତି। ଶେଷରେ ସେହି ଜନ୍ମ ମାଟି ଗାଁ ତାଙ୍କୁ କୋଳେଇ ନେଇଥିଲା।ପୂର୍ବରୁ ମଧ୍ୟ ବ୍ରହ୍ମଗିରି ମାଟିରୁ ଯବାନ ଦେଶ ପାଇଁ ସେବା କରି ସହିଦ ହୋଇଛନ୍ତି। ଆଉ କିଛି ବର୍ଷ ଦେଶ ମାର ସେବା କରି ଅବସର ନେବାକୁ ଈଛା କରିଥିଲେ ଶ୍ୟାମସୁନ୍ଦର। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। କର୍ତ୍ତବ୍ୟ ସମୟରେ ହିଁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆଜି ତାଙ୍କୁ ଝୁରୁଛି ଜନ୍ମମାଟି। ସହିଦ ଶ୍ୟାମସୁନ୍ଦର ଙ୍କର ପୁଅ ଆଶୁତୋଷ କର ଓ ଝିଅ ଆରୋନିକା କର ଯଦି ସୁଯୋଗ ମିଳେ ତାହାଲେ ଅମେବି ଦେଶର ସେବାରେ ଆମ ଜୀବନ ଉତ୍ସାର୍ଗୀକୃତ କରିବୁ। ଆମେ ଆଜି ଦୁଃଖିତ ନୁହେଁ ବରଂ ଆମ ବାପାଙ୍କ ପାଁଈ ଆମେ ଗର୍ବିତ।।

💬 Leave a Comment

🗨️ Approved Comments

No comments yet.

🔗 Share this article: