🗂 Local | 🕒 11 Oct 2025, 04:36 IST
ପୁରୀ: ଥମିବାର ନାଁ ଧରୁନି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ଘଟଣା । ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି । ଆଜି ପୁଣି ବେଆଇନ ଭାବେ ଶ୍ରୀମନ୍ଦିର ଉପରେ ଉଡୁଥିବା ଗୋଟିଏ ଡ୍ରୋନ୍ ଜବତ ହୋଇଛି । ମରିଚିକୋଟ ଶନି ମନ୍ଦିର ଗଳିରୁ ଡ୍ରୋନ ଜବତ କରିଛି ସିଂହଦ୍ୱାର ପୋଲିସ । ଡ୍ରୋନ ଉଡ଼ାଇଥିବା ଛତିଶଗଡର ବ୍ୟକ୍ତି ଅଟକ ଥିବା ବେଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ପୁରୀ ଏସପି ପ୍ରତୀକ ସିଂ ।
ଆଜି ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟ୍ ସମୟରେ ଶ୍ରୀମନ୍ଦିର ଉପରେ ଏବଂ ଶ୍ରୀମନ୍ଦିର ପରୀକ୍ରମା ପରିସରରେ ଏକ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ପୁରୀ ଏସପି ପ୍ରତୀକ ସିଂଙ୍କ ନଜରକୁ ଆସିବା ପରେ ସଙ୍ଗେ ସଙ୍ଗେ ପଦକ୍ଷେପ ନେଇ ସିଂହଦ୍ୱାର ଥାନା ଓ ପୁରୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍କୁ ତତକ୍ଷଣାତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏହାପରେ ସିଂହଦ୍ୱାର ଥାନା ପୋଲିସ ଏବଂ ପୁରୀ ପୋଲିସ ଟିମ୍ ଡ୍ରୋନଟିକୁ ଗୋଡେଇ ‘ଶନି ମନ୍ଦିର ଗଳି’ ରେ ଜବତ କରିଥିଲେ । ଡ୍ରୋନ ଉଡାଉଥିବା ଛତିଶଗଡ଼ ବ୍ୟକ୍ତି ଦୁର୍ଗା ପ୍ରସାଦ ଯାଦବଙ୍କୁ ସିଂହଦ୍ୱାର ପୋଲିସ ଅଟକ ରଖି ପଚରାଉଚରା କରୁଛି ।
ଶ୍ରୀମନ୍ଦିର ଓ ଏହାର ପରିସରରେ ଯେକୌଣସି ପ୍ରକାର ଡ୍ରୋନ ଉଡାଇବା ନିଷେଧ ଥିବା ସତ୍ତ୍ୱେ ଏହି ଅବୈଧ କାର୍ଯ୍ୟ କରାଯାଇଥିଲା ବୋଲି ପ୍ରାଥମିକ ତଦନ୍ତରେ ଜଣାପଡିଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନସମ୍ମତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଏହି ଘଟଣା ପରେ ପୁରୀ ପୋଲିସ ପକ୍ଷରୁ ଅପିଲ କରାଯାଇଛି କି ଶ୍ରୀମନ୍ଦିର ଓ ଏହାର ସୁରକ୍ଷା ନିୟମକୁ ସମ୍ମାନ କରନ୍ତୁ ଏବଂ ଏପରି ଅବୈଧ କାର୍ଯ୍ୟରୁ ଦୂରେ ରୁହନ୍ତୁ ।
ଗତ 2022 ମସିହା ଡିସେମ୍ବର 3 ତାରିଖରେ ୟୁଟୁବର ଅନିମେଶ୍ ଚକ୍ରବର୍ତ୍ତୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ସହ ଶ୍ରୀମନ୍ଦିର ଭିଡିଓ ୟୁଟୁବରେ ଅପଲୋଡ଼ କରି ପ୍ରତିଟି ଆଙ୍ଗେଲ୍ ପିଛା 20 ହଜାର ଟଙ୍କା ଦାବି କରୁଥିଲେ । ଏହାସହ ମଧ୍ୟ ସେ ଓଡିଶା ପୋଲିସର ଲୋଗକୁ ବ୍ୟବହାର କରିଥିଲେ । ଏନେଇ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଗତ 2022 ମସିହା ଡିସେମ୍ବର 4 ତାରିଖରେ 150/22ରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଖବର ପ୍ରସାରଣ ହେବାପରେ ଅନିମେଶ୍ ଅତି ଚତୁରତାର ସହ ନିଜ ସ୍ଥାନ ପରବର୍ତ୍ତନ କରି ଆଗୁଆ ଜାମିନ ଆବେଦନ କରିଥିଲେ । ପୁରୀ ଜିଲ୍ଲା ପୋଲିସ ଜେଏମ୍ଏଫ୍ସି କୋର୍ଟରେ NBW ନେଇ ଆବେଦନ ପରେ ଏହାକୁ ଭିତ୍ତିକର ଅନିମେଶକୁ ପଶ୍ଚିମବଙ୍ଗରୁ ଗିରଫ କରିଥିଲେ ।
ଶ୍ରୀ ଜଗନ୍ନାଥ ମନ୍ଦିର (ପୁରୀ)କୁ 'ନୋ-ଫ୍ଲାଇଂ-ଜୋନ୍' ଭାବରେ ଘୋଷଣା କରାଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ଏବଂ ଏପରି କାର୍ଯ୍ୟକଳାପରେ ସାମିଲ ହେବା ଏକ ଅପରାଧ ଏବଂ ଆଇନ ଅନୁଯାୟୀ ଦଣ୍ଡନୀୟ । ତେବେ ପ୍ରଶ୍ନ ଉଠୁଛି ଏପରି ଘଟଣାକୁ କାହିଁକି ସମ୍ପୂର୍ଣ୍ଣ ବାରଣ କରିପାରୁନି ପୁରୀ ପୋଲିସ । ଏହା ଶ୍ରୀମନ୍ଦିର ସୁରକ୍ଷାକୁ ବିପଦରେ ପକାଇବା ସହିତ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛୁ ।
No comments yet.