🗂 Crime | 🕒 16 Oct 2025, 19:56 IST
ପୁରୀ ମୁଣ୍ଡରେ ବନ୍ଧୁକ ଲଗାଇ ଅପହରଣ କରି ଟଙ୍କା ଦାବି ସହ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ କୋଣାର୍କ ଥାନା ପୁଲିସ ୪ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ମାନଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଙ୍ଗ ଅଞ୍ଚଳର ଚଞ୍ଚଳ ଜାନା ୩୫, ସୁଲତାନ ଅହମ୍ମଦ ଖାନ ୪୮, ଏସ୍ କେ ବାକି ବୁଲା ୩୬ ଓ ଜଗତସିଂହପୁରର ନିର୍ଭୟ ମହାରର୍ଥା ୫୦ l ପୋଲିସ ଅଭିଯୁକ୍ତଙ୍କ ଠାରୁ ୪ଟି ମୋବାଇଲ ଫୋନ୍ ସହିତ ଏକ ଡବ୍ଲ୍ୟୁ ବି ୩୨ଏନ ୮୨୫୭ ନମ୍ବର ବିଶିଷ୍ଟ କାର୍ ଜବତ କରିଛି। ଏନେଇ ଆଜି ଅପରାହ୍ନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରତୀକ ସିଂ ସୂଚନା ଦେଇଥିଲେ l ଘଟଣାରୁ ପ୍ରକାଶ ଯେ କୋଣାର୍କ ଥାନା ଅନ୍ତର୍ଗତ ବନଖଣ୍ଡି ନିକଟରୁ ଆସାମର ଜୟ ଚକ୍ରବର୍ତ୍ତୀଙ୍କୁ ଅପହରଣ କରାଯାଇଥିଲା l ଅପହରଣ ନେଇ ତାଙ୍କର ବନ୍ଧୁ ଖୋର୍ଦ୍ଧାର ଅଶୋକ କୁମାର ସାହୁ ଥାନାରେ ଅଭିଯୋଗ କରିଥିଲେ l ଘଟଣାରୁ ଜଣାପଡିଛି ଯେ ଅନଲାଇନ ଗେମ୍ ଆପ୍ ରେ ଟଙ୍କା ନେଣଦେଣକୁ ନେଇ ସୃଷ୍ଟି ହୋଇଥିଲା ଶତ୍ରୁତା l ଅଶୋକ କୁମାର ସାହୁ ଓ ଜୟ ଚକ୍ରବର୍ତ୍ତୀ ଉଭୟ ଗେମ ଆପ ରଟଙ୍କା କାରବାର କରନ୍ତି l ଉଭୟଙ୍କ ମଧ୍ୟରେ ବ୍ୟବସାୟିକ କାର୍ଯ୍ୟକଳାପ ରହିଛି l ମୁଖ୍ୟ ଅଭିଯୁକ୍ତ ଚଞ୍ଚଲ ଜାନା କୋଠା ନିର୍ମାଣ ବ୍ୟବସାୟ କରନ୍ତି l ଚଞ୍ଚଳ ଉକ୍ତ ଗେମ ଆପ୍ ସହିତ ଜଡିତ ରହି ଜୟ ଚକ୍ରବର୍ତ୍ତୀଙ୍କ ସମ୍ପର୍କରେ ଆସିଥିଲେ l ଚଞ୍ଚଳ ୧୭ ଲକ୍ଷ ଟଙ୍କା ଜୟ ଙ୍କ ଆକାଉଣ୍ଟ ରୁ ନେଇଥିଲେ l ଜୟ ଟଙ୍କା ମାଗିଥିଲେ ମଧ୍ୟ ଚଞ୍ଚଳ ଫେରାଇ ନଥିଲେ l ଏନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ବଢିଥିଲା l ଏହାପରେ ଜୟା ଚକ୍ରବର୍ତ୍ତୀଙ୍କୁ ଅପହରଣ କରିବା ପାଇଁ ଚଞ୍ଚଳ ଯୋଜନା ପ୍ରସ୍ତୁତ କରିଥିଲା l ଜୟ ତାଙ୍କର ବନ୍ଧୁ ଅଶୋକଙ୍କ ସହ କୋଣାର୍କ ବୁଲିବାକୁ ଯାଇଥିଲେ l ଗତ ୧୪ ତାରିଖରେ କୋଣାର୍କ ବନଖଣ୍ଡି ନିକଟରେ ଅଜଣା ବ୍ୟକ୍ତି ତାଙ୍କୁ ଅଟକାଇ ଥିଲେ l ପରେ ବନ୍ଧୁକ ଦେଖାଇ କିଛି ଜୟ ଚକ୍ରବର୍ତ୍ତୀଙ୍କୁ ଅପହରଣ କରି ଏକ ନାଲି ରଙ୍ଗର କାର ଭିତରକୁ ନେଇଥିଲେ l ଜୟଙ୍କୁ ଅପହରଣ କରି ପାରାଦ୍ୱୀପ ନେଇଥିଲେ l ସେଠାରେ ଅଟକ ରଖି ତାଙ୍କର ସମ୍ପର୍କୀୟଙ୍କ ଠାରୁ ୩୦ଲକ୍ଷ ଟଙ୍କା ଦାବି କରିଥିଲେ l ପରେ ସେମାନେ ହତ୍ୟା ଧମକ ଦେବା ସହ ବୋଟ ଯୋଗେ ସମୁଦ୍ର ଭିତରକୁ ନେବାପାଇଁ ଯୋଜନା କରିଥିଲେ l ଅନ୍ୟାପକ୍ଷରେ ଜୟଙ୍କ ବନ୍ଧୁ ଅଶୋକ କୋଣାର୍କ ଥାନାରେ ଅଭିଯୋଗ କରିଥିଲେ l ଏସପି ଶ୍ରୀ ସିଂହ ଏହି ଘଟଣାକୁ ଗୁରୁତର ସହ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ। ପୋଲିସର ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିବା ପରେ ଜୟ ଚକ୍ରବର୍ତ୍ତୀଙ୍କୁ ଉଦ୍ଧାର କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ମଧ୍ୟ ଧରିବାରେ ସକ୍ଷମ ହୋଇଥିଲେ l
No comments yet.