🗂 Local | 🕒 20 Oct 2025, 19:51 IST
ପୁରୀ ଆଜି ଆଲୋକର ପର୍ବ ଦିପାବଳୀ। ଅନ୍ଧାର ଉପରେ ଆଲୋକର ହୋଇଛି ବିଜୟ। ତେବେ ପିତୃପକ୍ଷରେ ଧରାପୃଷ୍ଠକୁ ଆସିଥିବା ପିତୃପୁରୁଷ ମାନଙ୍କୁ ଆଜିର ଏହି ପବିତ୍ର ତିଥିରେ କାଉଁରିଆ କାଠି ଜାଳି ବିଦାୟ ଦିଆଯାଇଥାଏ। ଏଥିପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତ ଓ ଦର୍ଶନାର୍ଥିଙ୍କ ଗହଳି ଜମିଛି। ପୟାଶ୍ରାଦ୍ଧ ସହିତ ଦୀପଦାନ କରି ପିତୃପୁରୁଷଙ୍କୁ ବିଦାୟ ଦେଉଛନ୍ତି ଭକ୍ତ। ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ଚାରୋଟି ସ୍ଥାନରେ କାଉଁରିଆ କାଠି ଜାଳି ଶ୍ରାଦ୍ଧ ଅର୍ପଣ କରୁଛନ୍ତି ଭକ୍ତ। ପରମ୍ପରା ଅନୁସାରେ ମହାଳୟା ପରେ ପିତୃପୁରୁଷଙ୍କୁ ପୟାଶ୍ରାଦ୍ଧ ଦିଆଯାଏ। ବଡଦାଣ୍ଡରେ ପୟାଶ୍ରାଦ୍ଧ ଦେଲେ ପିତୃପୁରୁଷ ପ୍ରାପ୍ତ ହୋଇଥାନ୍ତି। ସେପଟେ ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ କଲେ ଅନେକ ପୁଣ୍ଯ ମିଳିଥାଏ ବୋଲି ବିଶ୍ବାସ ରହିଛି। ବଡଦାଣ୍ଡରେ କାଉଁରିଆ କାଠି ଜାଳି ଶ୍ରାଦ୍ଧ ଅର୍ପଣ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ ଓ ମହାପ୍ରସାଦ ସେବନ କରି ଭକ୍ତମାନେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି।
ତେବେ ପୟାଶ୍ରାଦ୍ଧ ଅବସରରେ "ବଡବଡୁଆ ହୋ ଅନ୍ଧାରରେ ଆସି ଆଲୁଅରେ ଯାଅ, ଗଙ୍ଗା ଯାଅ, ଗୟା ଯାଅ, ବାଇଶି ପାହାଚେ ଗଡଗଡଉ ଥାଅ, ମହାପ୍ରସାଦ ଖାଇ ପୁତ୍ର ପୁତ୍ରାଦିଙ୍କୁ ଅମୃତ ଦୃଷ୍ଟିରେ ଚାହିଁ ରହିଥାଅ। ଏହି ଧ୍ୱନିରେ ପ୍ରାକମ୍ପିତ ହୋଇଉଠିଛି ସମଗ୍ର ଅଞ୍ଚଳ | ପୟାଶ୍ରାଦ୍ଧ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଛନ୍ତି। ତେଣୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ପୟାଶ୍ରାଦ୍ଧ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଛି। କାଉଁରିଆ କାଠି ଜାଳିବା ଓ ଶ୍ରାଦ୍ଧ କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଛି। କୌଣସି ଅଘଟଣକୁ ରୋକିବା ପୋଲିସ ପ୍ରଶାସନ ପକ୍ଷରୁ ୨୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମଧ୍ୟ ନିୟୋଜିତ ହୋଇଛନ୍ତି। ନିଆଁ ଜନିତ ଦୁର୍ଘଟଣା ଏଡାଇବା ପାଇଁ ୱାଟର କଣ୍ଟେନର ଓ ଦମକଳ ବାହିନି ନିୟୋଜିତ ହୋଇଛନ୍ତି।
ତେବେ ଆଜି ଚତୁର୍ଦ୍ଦଶୀ ଯୁକ୍ତ ଅମାବାସ୍ଯା ରହୁଥିବାରୁ ଅପରାହ୍ନ ପରେ ଘରେ ଘରେ ପୟାଶ୍ରାଦ୍ଧ ଓ ଦୀପଦାନ କରାଯିବ ବୋଲି ପଞ୍ଜିକାରେ ରହିଛି। ଆସନ୍ତାକାଲି ଅମାବାସ୍ୟା ଉଦୟ ପର୍ବରେ ପଡୁଥିବାରୁ ଶ୍ରୀମନ୍ଦିରରେ ଦିପାବଳୀ ଅମାବାସ୍ୟା ଓ ସାଗରବିଜେ ନୀତି ଅନୁଷ୍ଠିତ ହେବ।
No comments yet.