🗂 Local | 🕒 02 Nov 2025, 15:32 IST
ପୁରୀ ଆଜିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତର ଅନ୍ତିମ ପର୍ବ ‘ପଞ୍ଚୁକ ବ୍ରତ’ । ଏହାକୁ ନେଇ ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ପ୍ରବଳ ଭିଡରେ ଲମ୍ବା ଧାଡିରେ ଛିଡା ହୋଇ ଭକ୍ତମାନେ ରତ୍ନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଲକ୍ଷ୍ନୀ ନାରାୟଣ ବେଶ ଦର୍ଶନ କରୁଛନ୍ତି ।
ଦୀର୍ଘ ୩୦ଦିନ ଧରି ଚାଲିଥିବା ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଶେଷ ହେବା ସହ ପଞ୍ଚୁକ ପାଞ୍ଚଦିନ ମହାପ୍ରଭୁଙ୍କର ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହେବ । ଆଜି ପଞ୍ଚୁକ ପ୍ରଥମ ଦିନରେ ଲକ୍ଷ୍ମୀ-ନାରାୟଣ ବେଶରେ ଭକ୍ତଙ୍କୁ ମହାପ୍ରଭୁ ଦର୍ଶନ ଦେଉଛନ୍ତି । ଶ୍ରୀବିଗ୍ରହମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଲକ୍ଷ୍ମୀ-ନାରାୟଣ ବେଶ ବା ‘ଠିଆକିଆ ବେଶ’ ଅନୁଷ୍ଠିତ ହୋଇଛି । ଏହି ବେଶରେ ପ୍ରଥମେ ଶ୍ରୀଜିଉମାନଙ୍କର ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ଡପ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ତିନିଠାକୁରଙ୍କୁ ଲକ୍ଷ୍ମୀ-ନାରାୟଣ ବେଶରେ ଭୂଷିତ କରିଥାଆନ୍ତି ।
ରାଧାଦାମୋଦର ବେଶରେ ଠାକୁରମାନେ ଶ୍ରୀହସ୍ତରେ ନଳୀଭୁଜ ଧାରଣ କରୁଥିବା ବେଳେ ଲକ୍ଷ୍ମୀ-ନାରାୟଣ ବେଶରେ ଶ୍ରୀଭୁଜ, ଶଙ୍ଖ, ଚକ୍ର, ହଳ ଓ ମୁଷଳ ଭଳି ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରିଥାଆନ୍ତି । ଏହି ବେଶରେ ଶ୍ରୀବିଗ୍ରହମାନଙ୍କ ମସ୍ତକରେ ସ୍ୱର୍ଣ୍ଣ କିରୀଟ ଶୋଭାପାଏ ଓ କିରୀଟ ପଛ ପାର୍ଶ୍ଵରେ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ । ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କଲେ ଅତ୍ୟନ୍ତ ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଥିବାରୁ ଶ୍ରଦ୍ଧାଳୁମାନେ ଏହି ଦିବ୍ୟ ଦର୍ଶନ ପାଇଁ ବର୍ଷ ତମାମ ଅପେକ୍ଷା କରିଥାନ୍ତି ।
ପଞ୍ଚୁକରେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରାଞ୍ଚଳ ଡିଆଇଜି ଏବଂ ପୁରୀ ଏସପିଙ୍କ ତତ୍ତ୍ଵାବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରାଯାଉଛି।
ପଞ୍ଚୁକ ପାଇଁ ସୁରକ୍ଷା ଦାୟିତ୍ବରେ ୩୨ ପ୍ଲାଟୁନ ପୋଲିସ ଫୋର୍ସ, ୩୦୦ ହୋମଗାର୍ଡ, ଅତିରିକ୍ତ ଏସପି ୫ ଜଣଙ୍କ ସହିତ ବ୍ୟାପକ ମାତ୍ରାରେ ଡିଏସପି ଏବଂ ଏଏସଆଇଙ୍କୁ ମୁତୟନ କରାଯାଇଚି। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡର ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ସିଂହଦ୍ଵାର ଯାଏଁ ହୋଇଛି ବ୍ୟାରିକେଡ଼। ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ବାଇକ ଦ୍ବାରା ପେଟ୍ରୋଲିଙ୍ଗ କରାଯାଉଛି। ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ହୋଇଛି ଡ୍ରାଗିଙ୍ଗ ଟିମ୍। ଦର୍ଶନ ସରିବା ପରେ ଏହି ଟିମ୍ ଭକ୍ତଙ୍କୁ ଶ୍ରୀମନ୍ଦିର ବାହାରକୁ ପ୍ରସ୍ଥାନ କରାଉଛନ୍ତୀ। ଶ୍ରଦ୍ଧାଳୁମାନଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି। ଆନ୍ଧ୍ର ଶ୍ରୀକାକୁଲମ ଭେଙ୍କଟେଶ ମନ୍ଦିରରେ ଦଳାଚକଟା ଘଟଣାରେ ଭକ୍ତଙ୍କ ମୃତ୍ୟୁକୁ ନେଇ ସତର୍କ ରହିଛି ପୁରୀ ପୋଲିସ। ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଏକାଧିକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଭିଡକୁ ନିୟନ୍ତ୍ରଣ କରିବା ସହ ଦର୍ଶନ କରି ସାରିଥିବା ଭକ୍ତଙ୍କୁ ସଙ୍ଗେ ସଙ୍ଗେ ଭକ୍ତଙ୍କୁ ପ୍ରସ୍ଥାନ ବ୍ୟବସ୍ଥା କରାଇବେ। ପଞ୍ଚୁକ ଏବଂ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀ ବେଳାଭୂମିରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଲାଇଫ ଗାର୍ଡ ମାନଙ୍କୁ ମୁତୟନ କରାଯିବ। ପଞ୍ଚୁକ ଏବଂ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ପୂର୍ବ ଅପେକ୍ଷା ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ଭକ୍ତଙ୍କ ପ୍ରବେଶ ଓ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ଭଲଭାବରେ ଭିଡ଼ ନିୟନ୍ତ୍ରଣ କରାଯିବ। ଫଳରେ ଦଳାଚକଟା ସ୍ଥିତି ଉପଜିବ ନାହିଁ। ଶ୍ରୀମନ୍ଦିର ଭିତରେ ଏବଂ ବାହାର ବେଢାକୁ ଫାଙ୍କା ରଖିବା ପାଇଁ ସ୍ବତନ୍ତ୍ର ପୋଲିସ ଟିମ୍ ମୁତୟନ ରହିବେ। ତେବେ ବରିଷ୍ଠ ପୋଲିସ ଅଧିକାରୀ ମାନେ ମଧ୍ୟ ଶ୍ରୀମନ୍ଦିର ଭିତରେ ୨୪ ଘଣ୍ଟିଆ ମୁତୟନ ରହିବେ। କୌଣସି ଜରୁରୀ ପରିସ୍ଥିତି ହେଲେ ଭିଏଚଏଫ୍ ଦ୍ବାରା ଯୋଗାଯୋଗ କରାଯିବା ବ୍ୟବସ୍ଥା ହୋଇଛି। ନାଟମଣ୍ଡପରେ ଭିଡ଼ ନିୟନ୍ତ୍ରଣ ପାଇଁ ଅଭିଜ୍ଞ ପୋଲିସ ଅଧିକାରୀ ମୁତୟନ ରହିଛନ୍ତି। ସେହିପରି ଟ୍ରାଫିକ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦୁଇ ଚକିଆ ଯାନ ଗୁଡିକ ମାର୍କେଟ ଛକ ମ୍ୟୁନିସିପାଲିଟି ଠାରେ ଥିବା ପାର୍କିଂ ରେ ଗାଡ଼ି ରଖିବେ। ଚାରିଚକିଆ ଗାଡ଼ି ଗୁଡକ ଜଗନ୍ନାଥ ବଲ୍ଲଭ, ଜେଲ୍ ରୋଡରେ ପାର୍କିଂ କରିବେ। କୋଣାର୍କ ପଟୁ ଆସୁଥିବା ଗାଡ଼ି ଗୁଡିକ ତାଳବଣିଆରେ ପାର୍କିଂ କରିବେ। ବିଭିନ୍ନ ପ୍ରବେଶ ପଥରେ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ଟ୍ରାଫିକ କୁ ପରିଚାଳନା କରିଛନ୍ତି। ପୁରୀ ବେଳାଭୂମିର ଦିଗବାରେଣି ଛକ ଠାରୁ ଯାତ୍ରୀକା ପର୍ଯ୍ୟନ୍ତ ନୋ ଭେହିକିଲ୍ ଜୋନ୍ କରାଯାଇଛି। ଦିଗବାରେଣି ଓ ଯାତ୍ରୀକା ପାର୍କିଂରେ ଗାଡ଼ି ଗୁଡିକ ଲୋକମାନେ ପାର୍କିଂ କରିବେ। ଶ୍ରୀମନ୍ଦିର ଚତୁଃପାର୍ଶ୍ଵକୁ ନୋ ଭେହିକିଲ୍ ଜୋନ୍ ରହିଚି। କାର୍ତ୍ତିକ ପୂର୍ଣ୍ଣିମାରେ ମେଡିକାଲ ଛକ ଠାରୁ ଶ୍ରୀମନ୍ଦିର ଯାଏଁ ନୋ ଭେହିକିଲ୍ ଜୋନ୍ ରହିବ।
No comments yet.