🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥି ପାଇଁ ଚଳଚଞ୍ଜଳ ଶ୍ରୀକ୍ଷେତ୍ର । - NILACHALA SAMACHAR
Article Image

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥି ପାଇଁ ଚଳଚଞ୍ଜଳ ଶ୍ରୀକ୍ଷେତ୍ର ।

🗂 Art & Culture | 🕒 05 Nov 2025, 16:06 IST

ପୁରୀ ଆଜି ହେଉଚି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥି ପାଇଁ  ଚଳଚଞ୍ଜଳ ଶ୍ରୀକ୍ଷେତ୍ର । କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ଙ୍କ ସୁନାବେଶ ତଥା ରାଜରାଜେଶ୍ବର ବେଶ ଅନୁଷ୍ଠିତ ହୋଇଛି । ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେଇଚନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଚି । ଏହି ସ୍ବତନ୍ତ୍ର ବେଶ ଦର୍ଶନ କରି ସାନ୍ନିଧ୍ୟ ଲାଭ କରିଥାଆନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।


ଶ୍ରୀଜିଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜିଉମାନଙ୍କୁ ରାଜବେଶରେ ସଜାଇଥାନ୍ତି । ଏହି ବେଶରେ ଠାକୁରମାନେ ଶ୍ରୀଭୁଜ, କିରୀଟ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କୁଣ୍ଡଳ, ଚିତା, ଚନ୍ଦ୍ରିକା, ଶଙ୍ଖ, ଚକ୍ର, ହଳ, ମୂଷଳ, ତ୍ରିଶାଖା, ଅଳକା, ତଡ଼ଗି, ଶ୍ରୀମୁଖ ପଦ୍ମ, ଘାଗଡ଼ା ମାଳି, କଦମ୍ବ ମାଳି, ହରିଡ଼ା କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ବାଘନଖି ମାଳି ଓ ସେବତୀମାଳି ଆଦି ରତ୍ନ ଅଳଙ୍କାର ଧାରଣ କରିଥାଆନ୍ତି ।

 ମହାପ୍ରଭୁ ବର୍ଷ କୁ ୫ ଥର ସୁନା ବେଶ୍ ରେ ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି ତେବେ କାର୍ତ୍ତିକ ପୂର୍ଣ୍ଣିମା ରେ ହେଉଥିବା ସୁନାବେଶ୍ ହେଉଚି ଐଶ୍ଚର୍ଯ୍ୟ ର ବେଶ । 

ମହାପ୍ରଭୁ ମହଣ ମହଣ ସୁନା ରେ ବିଭୂଷିତ ହୋଇ ଭକ୍ତ ଙ୍କୁ ସୁନାବେଶ ତଥା ରାଜାଧିରାଜ ବେଶ ରେ ଦର୍ଶନ ଦେଇଥାନ୍ତି।ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ମହାପ୍ରଭୁ ଙ୍କ ଏହି ସୁନାବେଶ ତଥା ଐଶ୍ଚର୍ଯ୍ୟ ବେଶ ଯିଏ ଦର୍ଶନ କରେ ତାଙ୍କର କେବେବି ଅଭାବ ଅନଟନ ରହିନଥାଏ ବୋଲି ବିଶ୍ୱାସ ରହିଛି। ତେବେ ବିଶ୍ୱାସ ରହିଚି କାର୍ତ୍ତିକ ପୂର୍ଣ୍ଣିମା ରେ ଯେଉଁ ମାନେ ପବିତ୍ର ତୀର୍ଥ ପୁଷ୍କରିଣୀ ରେ ସ୍ନାନ କରି, ଡଙ୍ଗା ଭସାଇ ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କ ଦର୍ଶନ କଲେ ମହା କାର୍ତ୍ତିକ ମାସର ପୁଣ୍ୟ ଲାଭ ହୋଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାପ୍ରଭୁ ଙ୍କୁ ଅନ୍ତିମ ବାଳଧୂପ ନୀତି ଅନୁଷ୍ଠିତ ହୋଇଥାଏ ।ମହାପ୍ରଭୁ ଙ୍କ ଅବକାଶ ନୀତି ପରେ ଶ୍ରୀଜିଉ ଙ୍କ ରାଜାଧୀରାଜ ବେଶ ଅନୁଷ୍ଠିତ ହୋଇଥାଏ। ବାହୁଡା଼ ଏକାଦଶୀ ରେ ରଥ ଉପରେ ମହାପ୍ରଭୁ ଙ୍କ ସୁନା ବେଶ ଅନୁଷ୍ଠିତ ହେଉଥିବା ବେଳେ ପବିତ୍ର ବିଜୟା ଦଶମୀ, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମା ରେ ରତ୍ନ ସିଂହାସନ ଉପରେ ମୋଟ ୫ ଥର ବର୍ଷ କୁ ସୁନା ବେଶ ଅନୁଷ୍ଠିତ ହୋଇଥାଏ।



ଭକ୍ତମାନେ କିଭଳି ଶୃଙ୍ଖଳିତ ଢଙ୍ଗରେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ସେଥିପାଇଁ ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବଡ଼ଦାଣ୍ଡର ବଗଲା ଧର୍ମଶାଳା ନିକଟରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଯାଏଁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଛାୟାପ୍ରଦ ବ୍ୟାରିକେଡ଼ ନିର୍ମାଣ କରାଯାଇଛି। ତେବେ ଭକ୍ତମାନଙ୍କ ସୁବିଧା ପାଇଁ ବ୍ୟାରିକେଡ଼ ନିକଟରେ ପାନୀୟ ଜଳ ସହ ଫାଷ୍ଟ ଏଡ୍ ସେଣ୍ଟର , ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। କେବଳ ସିଂହଦ୍ଵାର ଦେଇ ଭକ୍ତଙ୍କ ପ୍ରବେଶ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ସହ ଭିତର ବେଢା‌ ଖାଲି କରିବା ପାଇଁ ପୋଲିସ ପକ୍ଷରୁ ଡ୍ରାଗିଙ୍ଗ ଟିମ୍ ମୁତୟନ ରହିଛନ୍ତି। ବିଶେଷ କରି ସାତ ପାହାଚ ରୁ ବାହାର କାଠ ପର୍ଯ୍ୟନ୍ତ ଦର୍ଶନ କୁ କିଭଳି ଶୃଙ୍ଖଳିତ କରାଯାଇପାରିବ ସେନେଇ ପ୍ରଶାସନର ରହିଛି ମୁଖ୍ୟ ଲକ୍ଷ। କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରବଳ ଭକ୍ତଙ୍କର ଭିଡ଼ ହେବାର ଆଶଙ୍କା ଥିବାରୁ କୌଣସି ବ୍ୟକ୍ତି ଯେଭଳି ଗଳାବାଟରେ ପ୍ରବେଶ ନକରନ୍ତି ତାକୁ ନେଇ ପୋଲିସ ପକ୍ଷରୁ କଡ଼ା ନଜର ରଖାଯିବ।  


ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ ଏବଂ ଟ୍ରାଫିକ ସୁପରିଚାଳନା ନିମନ୍ତେ ୭ ଜଣ ଅତିରିକ୍ତ ଏସପିଙ୍କ ତତ୍ତ୍ଵାବଧାନରେ ୨୫ ଜଣ ଡିଏସପି, ୪୯ ଇନସ୍ପେକ୍ଟର, ୧୭୯ ଏସଆଇ, ଏଏସଆଇ, ୨୭ ହାବିଲଦାର, ୨୧୦ କନଷ୍ଟେବଳ, ୪୮ ଜଣ ଟ୍ରାଫିକ କନଷ୍ଟେବଳ, ୫୫୧ ହୋମଗାର୍ଡ ଙ୍କ ସହ ୪୫ ପ୍ଲାଟୁନ ପୋଲିସ ଫୋର୍ସ ଶ୍ରୀମନ୍ଦିର ସହିତ ସମୁଦ୍ର କୂଳ ଏବଂ ପୁରୀ ସହରର ବିଭିନ୍ନ ସ୍ଥାନରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁତୟନ ରହିବେ।‌ ସମୁଦ୍ର କୂଳରେ ୩୭୦ ଜଣ ଲାଇଫ ଗାର୍ଡ, ଫାଷ୍ଟ ଏଡ୍ ସେଣ୍ଟର, ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ସେହିପରି ପୁରୀ ଜିଲା ର କୋଣାର୍କ, ପୀରଜାହାନିଆ, ବାଲି ହରଚଣ୍ଡି ଆଦି ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।



ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କ ଦିବ୍ୟ ରାଜାଧିରାଜ ବେଶ ଦର୍ଶନ ପରେ କାର୍ତ୍ତିକ ବ୍ରତ କରିଥିବା ମହିଳା ଶ୍ରଦ୍ଧାଳୁ କାମିନୀ ସାହୁ ନିଜ ପ୍ରତିକ୍ରିୟାରେ କୁହନ୍ତି , ଆଜି ହେଉଚି କାର୍ତ୍ତିକ ବ୍ରତ ର ଅନ୍ତିମ ଦିବସ। ପରମ୍ପରା ଅନୁଯାୟୀ ଆଜି ଭୋର ରୁ ପବିତ୍ର ମହୋଦଧି ରେ ସ୍ନାନ ପରେ ବାଲୁକା ପୂଜା କଲୁ। ପରେ ମହୋଦଧି ରେ ଡଙ୍ଗା ଭସାଇ ପ୍ରଭୁ ସୂର୍ଯ୍ୟ ଦେବତା ଙ୍କୁ ପୂଜା କଲୁ। ପରେ ଶ୍ରୀ ମନ୍ଦିର ଆସି ମହାପ୍ରଭୂ ଙ୍କୁ ଦର୍ଶନ କଲୁ। ଆମର ମଙ୍ଗଳ କାମନା କଲୁ ମହାପ୍ରଭୁ ଙ୍କ ନିକଟ ରେ । ଆଜି କାର୍ତ୍ତିକ ପୂର୍ଣ୍ଣିମା ରେ ମହାପ୍ରଭୁ ଙ୍କୁ ଦର୍ଶନ ପାଇଁ ଭକ୍ତ ଙ୍କ ପ୍ରବଳ ଭିଡ ହୋଇଛି। ଏହା ସତ୍ତ୍ୱେ ଆଜି କାର୍ତ୍ତିକ ବ୍ରତର ଅନ୍ତିମ ଦିବସ ହୋଇଥିବାରୁ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଶ୍ରୀ ମନ୍ଦିର ଆସିଥିଲି। ଆସନ୍ତାବର୍ଷ କୁ ପୁଣି ଶ୍ରୀକ୍ଷେତ୍ର ଆସିବାକୁ ଜଗା ଡୋରି ଲଗାଉ ବୋଲି ମହାପ୍ରଭୁ ଙ୍କୁ ପ୍ରାର୍ଥନା କଲି। ସମ୍ପୂର୍ଣ କାର୍ତ୍ତିକ ମାସ ସାରା ପ୍ରତିଦିନ ମୁଁ ଜଗନ୍ନାଥ ଦର୍ଶନ କରି କାର୍ତ୍ତିକ ବ୍ରତ ମହା ଆନନ୍ଦ ରେ ପାଳନ କରିଛି । ତାଙ୍କର ବରାଦ ଥିଲେ ପୁଣି ଆସନ୍ତାବର୍ଷ ଶ୍ରୀକ୍ଷେତ୍ର ଆସି କାର୍ତ୍ତିକ ବ୍ରତ ପାଳନ କରିବି।


ଜଗନ୍ନାଥ୍ ଦର୍ଶନ ପରେ ଜଣେ ହବିଷ୍ୟାଳି ମା ପ୍ରମିଳା ଦେଇ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ସକାଳୁ ଶ୍ରୀ ମନ୍ଦିର ଆସି ମହାପ୍ରଭୂ ଙ୍କୁ ଦର୍ଶନ କଲି। ହାବିଶ୍ୟାଳି ମା ମାନେ ମହାପ୍ରଭୁ ଙ୍କ ଦର୍ଶନ କିଭଳି ଭଲ ରେ ଟିକେ ପାଇବେ ସେ ନେଇ ଆମ ପାଇଁ ପ୍ରଶାସନ ପକ୍ଷରୁ ଅଲଗା ଲାଇନ କରାଯାଇଛି। ପ୍ରବଳ ଠେଲାପେଲା ସତ୍ୱେ ପ୍ରଭୁ ଜଗନ୍ନାଥ ଙ୍କ ଦର୍ଶନ ମିଳିଲା। ଏହାକୁ ନେଇ ବହୁତ୍ ମୁଁ ଆନନ୍ଦିତ। ଜଗନ୍ନାଥ ଧାମ ର ମାଟି ରେ ପାଦ ଦେଇ ଦେଲେ କୋଟି ପୁଣ୍ୟ ମିଳିଥାଏ। ମହାପ୍ରଭୁ ଙ୍କୁ ପ୍ରାର୍ଥନା କଲୁ ପୁଣି ଆସନ୍ତା ବର୍ଷ କୁ ଶ୍ରୀକ୍ଷେତ୍ର ଆସିବାକୁ ଡୋରି ଲାଗୁ। ଗତ ଏକ ମାସ ହେବ ଆମେ କିଛି ମା ମାନେ ଏକାଠି ହୋଇ ହବିଶ୍ୟ ବ୍ରତ କରିଥିଲୁ। ତେବେ ଏହା ଚଳିତ ବର୍ଷ ପାଇଁ ଶେଷ ହୋଇଚି। ଯାହାକି ଏକ ଅଭୁଲା ସ୍ମୃତି ହୋଇ ରହିବ।


ସୁଦୂର ସୁନ୍ଦରଗଡ଼ ରୁ ଆସିଥିବା ଜଣେ ଭକ୍ତ ସରୋଜ ବାରିକ ନିଜ ପ୍ରତିକ୍ରିୟାରେ କୁହନ୍ତି, ଆଜି ହେଉଚି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରତ୍ନ ସିଂହାସନ ରେ ଶ୍ରୀଜୀଉ ଙ୍କ ସୁନା ବେଶ୍। ଏହି ଦିବ୍ୟ ବେଶ ଦର୍ଶନ ପାଇଁ ମୁଁ ସୁନ୍ଦରଗଡ଼ ରୁ ଆସିଚି। ଶ୍ରୀକ୍ଷେତ୍ର ବଡ ଦାଣ୍ଡ ରେ ପାଦ ପଡ଼ିବା ଏକ ଦିବ୍ୟ ଅନୁଭୂତି।ମହାପ୍ରଭୁ ଙ୍କ ଡୋରି ନ ଲାଗିଲେ ପୁରୀ କୁ କେହିବି ଆସିପାରିବେନି। ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିବା ବେଳେ ଏହି ଦିବ୍ୟ, ଭକ୍ତି ମୟ ଦୃଶ୍ୟ ପ୍ରତ୍ୟେକ ଜଗନ୍ନାଥପ୍ରେମୀ ଙ୍କୁ ଭାବ ବିହ୍ଵଳିତ କରିଚି। ଆଜି ମୋର ବଡ ସୌଭାଗ୍ୟ ମତେ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ସୁଯୋଗ ମିଳିଚି।


ଜଗନ୍ନାଥ୍ ସଂସ୍କୃତି ପ୍ରଚାରକ ପଣ୍ଡିତ ଦୟାନିଧି ପଣ୍ଡା ନିଜ ପ୍ରତିକ୍ରିୟାରେ କୁହନ୍ତି, ଯେତେ ମାସ ରହିଚି ସବୁଠୁ ଶ୍ରେଷ୍ଠ ମାସ ହେଉଛି କାର୍ତ୍ତିକ ମାସ। କାର୍ତ୍ତିକ ମାସର ଅନ୍ତିମ ପର୍ବ ହେଉଛି ପଞ୍ଚୁକ। ଆଉ ଆଜି କାର୍ତ୍ତିକ ମାସର ଅନ୍ତିମ ଦିବସ କାର୍ତ୍ତିକ ପୂର୍ଣ୍ଣିମା ମହାପ୍ରଭୁ ରାଜରଜେଶ୍ୱର୍ ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି। ହଜାର ହଜାର ଭକ୍ତ ଙ୍କ ସମାଗମ ରେ ପବିତ୍ର ବଡଦାଣ୍ଡ ଆଜି ଭକ୍ତି ମୟ ହୋଇ ଯାଇଛି। ନାମ, ସଙ୍କୀର୍ତ୍ତନ ରେ ବଡ ଦାଣ୍ଡ ର ପରିବେଶ ପ୍ରକମ୍ପିତ ହେଉଚି। ସତେ ଯେମିତି ଶ୍ରୀକ୍ଷେତ୍ର ଆଜି ଗୋପ ପୂର୍ ପାଲଟି ଯାଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ଶ୍ରଦ୍ଧାଳୁ ମାନେ ପଞ୍ଚତୀର୍ଥ ରେ ଡଙ୍ଗା ଭସାଇବା ସହ ମହାପ୍ରଭୁ ଙ୍କ ରତ୍ନ ସିଂହାସନ ରେ ଦୁର୍ଲ୍ଲଭ ସୁନାବେଶ ଦର୍ଶନ ଭକ୍ତ ମାନେ ଧନ୍ୟ ହୋଇଯାଇଛନ୍ତି। ସଂସାର ଆମେ ଯାହା ଦେଖୁଛ ତାହା ଅସ୍ଥିର ଓ ଅସତ୍ୟ। କିନ୍ତୁ ଜଣିଏ ହେଉଚି ସତ୍ୟ ସେ ହେଉଚନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ୪ ଯୁଗରେ ଶ୍ରେଷ୍ଠ ଠାକୁର ହେଉଛନ୍ତି ପ୍ରଭୁ ଜଗନ୍ନାଥ।ସେ ବେଶ୍ ପ୍ରିୟ ଠାକୁର। ଆଜି ମହାପ୍ରଭୁ ଅପୂର୍ବ ବେଶ ଯିଏ ଦର୍ଶନ କରେ ସେ ମହାପୂଣ୍ୟ ଲାଭ କରିଥାଏ।



ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଜି ମହା କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥି। ଏହା ଏକ ପୁଣ୍ୟ ତିଥି। ଏଣୁ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଶ୍ରୀ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ସ୍ଵାଭାବିକ। ଗତକାଲି ବୈକୁଣ୍ଠ ଚତୁର୍ଦ୍ଦଶୀ ରାତିରେ ହଜାର ହଜାର ଭକ୍ତ ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ। କାରଣ ଗତକାଲି ମହାପ୍ରଭୁ ଙ୍କ ପହୁଡ଼ ନୀତି ହୋଇନାହିଁ। ଆଜି ଯାହା ସକାଳୁ ନୀତି ନିର୍ଘଣ୍ଟ ରହିଚି ସେହି ଅନୁଯାୟୀ ସବୁ ଜାରି ରହିଚି । ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ଯାହା କିଛି ବ୍ୟବସ୍ଥା ରହିଛି ତାହାକୁ ଭକ୍ତ ମାନେ ମହାପ୍ରଭୁ ଙ୍କୁ ଦର୍ଶନ କରିବାକୁ ଆମେ ସମସ୍ତ ଙ୍କୁ ଅନୁରୋଧ କରୁଛୁ। କେବଳ ସିଂହ ଦ୍ଵାର ଦେଇ ଭକ୍ତ ପ୍ରବେଶ କରିବେ ଅନ୍ୟ ତିନି ଦ୍ଵାର ଦେଇ ଭକ୍ତ ମାନେ ପ୍ରସ୍ଥାନ କରିବେ ।ମହାପ୍ରଭୁ ସମସ୍ତ ଙ୍କ କଲ୍ୟାଣ କରନ୍ତୁ।


ଶ୍ରୀ ମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢ଼ୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, କାର୍ତ୍ତିକ ପୂର୍ଣ୍ଣିମା ଅବସର ରେ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଭକ୍ତ ଙ୍କ ଭିଡ ରହିଚି। ଯେହେତୁ ଗତକାଲି ରାତି ଠାକୁର ଙ୍କ ପହୁଡ଼ ନୀତି ହୋଇନାହିଁ ରାତି ସାରା ମହାପ୍ରଭୁ ଙ୍କ ଦର୍ଶନ କରିଚନ୍ତି ଭକ୍ତ। ତେବେ ଆଜି ସକାଳୁ ଡଙ୍ଗା ଭସାଣ ପରେ ଭକ୍ତ ଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ଭିଡ ନିୟନ୍ତ୍ରଣ ପାଇଁ ଶ୍ରୀ ମନ୍ଦିର ଭିତରେ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଯେହେତୁ ୱାନ ୱେ ପ୍ରବେଶ ବ୍ୟବସ୍ଥା ରହିଛି ସେଥି ପାଇଁ ଦର୍ଶନ ବ୍ୟବସ୍ଥା ସମ୍ପୂର୍ଣ ଶୃଙ୍ଖଳିତ ରହିଚି। ନାଟ ମଣ୍ଡପ ଭିତରେ ଭିଡ ନିୟନ୍ତ୍ରଣ ପାଇଁ ଅଭିଜ୍ଞ ପୋଲିସ ଅଧିକାରୀ ଙ୍କୁ ନିୟୋଜିତ କରାଯାଇଛି। ଭକ୍ତ ମାନେ ଦର୍ଶନ କରିବା ପରେ ଶ୍ରୀ ମନ୍ଦିର ଭିତର ବେଢ଼ା ରେ ସେମାନଙ୍କୁ ରହିବା ପାଇଁ ସୁଯୋଗ ଦିଆଯାଉନାହିଁ। ସଙ୍ଗେ ସଙ୍ଗେ ଉପସ୍ଥିତ ଥିବା ପୋଲିସ କର୍ମଚାରି ମାନେ ଭକ୍ତ ଙ୍କୁ ଶ୍ରୀ ମନ୍ଦିର ବାହାରକୁ ପ୍ରସ୍ଥାନ କରିବାକୁ କୁହାଯାଉଛି। ଏଣୁ ଶ୍ରୀ ମନ୍ଦିର ଭିତରେ ଭିଡ ହେଉନାହିଁ। ତେବେ ଆଜି ଭୋଗ ମଣ୍ଡପ ସରିବା ପରେ ଭିତର କାଠ ଦର୍ଶନ ଆରଂଭ ହେବ। ଏହି ବ୍ୟବସ୍ଥା ଆଜି ରାତି ପର୍ଯ୍ୟନ୍ତ ଜାରି ରହିବ। ତେବେ ଶ୍ରୀମନ୍ଦିର ଆସୁଥିବା ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଙ୍କୁ ପୋଲିସ କର୍ମଚାରୀ ମାନେ ଦର୍ଶନ ପାଇଁ ସହଯୋଗ କରୁଛନ୍ତି। ଭିଭିଆଇପି ପ୍ରୋଟକଲ ବ୍ୟବସ୍ଥା ବନ୍ଦ ରହିଚି। ସମସ୍ତେ ସିଂହ ଦ୍ଵାର ଦେଇ ପ୍ରବେଶ କରି ଶୃଙ୍ଖଳିତ ଭାବେ ମହାପ୍ରଭୁ ଙ୍କ ଦର୍ଶନ କରିବା ସହ କିଛି ସମସ୍ୟା ହେଲେ ପୋଲିସ ର ସହାୟତା ନିଅନ୍ତୁ।

💬 Leave a Comment

🗨️ Approved Comments

No comments yet.

🔗 Share this article: