🗂 Local | 🕒 08 Nov 2025, 21:12 IST
ପୁରୀ ରଥଯାତ୍ରା ସମୟରେ ପୁରୀ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟା ଘଟଣା । ୭ ଜଣ ପୋଲିସ ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଏଭଳି ଦୁଃଖଦ ଘଟଣା ଘଟିଥିବା ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ତଦନ୍ତ ରିପୋର୍ଟରେ ଉଲ୍ଲେଖ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିସ କରାଯାଇଛି ।
ଚଳିତ ବର୍ଷ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ସମ୍ମୁଖରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ନେତୃତ୍ୱରେ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉନ୍ନୟନ କମିଶନର ମାସେ ବ୍ୟାପି ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଗୃହ ବିଭାଗର ଅତିରିକ୍ତ ସଚିବ ସୌମେନ୍ଦ୍ର ପାତ୍ର ।
ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଚିଠି ଆଧାରରେ ଗୃହ ବିଭାଗର ଅତିରିକ୍ତ ସଚିବ ସୌମେନ୍ଦ୍ର ପାତ୍ର ଲେଖିଥିବା ଚିଠିରେ ଦର୍ଶାଯାଇଛି ଯେ, ୭ ଜଣ ପୋଲିସ ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା କାରଣରୁ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା । ସେମାନେ ହେଉଛନ୍ତି କୋରାପୁଟରେ କାର୍ଯ୍ୟରତ ଓଏସଏପି କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, କମିଶନରେଟ ପୋଲିସର ହେର୍ଡକ୍ୱାର୍ଟର ଡିସିପି ବିଷ୍ଣୁପ୍ରସାଦ ପତି, କମାଣ୍ଡାଣ୍ଟ ତାପସ ରଞ୍ଜନ ଦାସ, କେକେ ନାୟକ, ସିଟି ଡିଏସପି ପ୍ରଶାନ୍ତ ସାହୁ, କୁମ୍ଭାରପଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ଛତ୍ରପୁରରେ କାର୍ଯ୍ୟରତ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଯାଇଛି ।
ଜୁନ୍ ୨୯ ତାରିଖ ଭୋର ସମୟରେ ଶରଧାବାଲିରେ ଅଟକି ଥିବା ମହାପ୍ରଭୁଙ୍କ ରଥ ସମ୍ମୁଖରେ ଦଳାଚକଟା ହୋଇଥିଲା । ଏହି ଦୁଃଖଦ ଘଟଣାରେ ୩ ଜଣ ଭକ୍ତଙ୍କର ମୃତ୍ୟୁ ଓ ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିଲେ । ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ କମିସନର ଅନୁ ଗର୍ଗଙ୍କ ନେତୃତ୍ବରେ ଏକ ତଦନ୍ତକାରୀ ଟିମ ଗଠନ ହୋଇଥିଲା । କମିଟିରେ ୪ ଜଣ ଓଏଏସ ସାମିଲ ହୋଇଥିଲେ । ଘଟଣାରେ ଗଠିତ କମିଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜୁଲାଇ ୩୧ ତାରିଖରେ ରିପୋର୍ଟ ଦେଇଥିଲା । ଉନ୍ନୟନ କମିସନର ଅନୁ ଗର୍ଗ ନେତୃତ୍ୱରେ ଗଠନ ହୋଇଥିବା କମିଟି ମାସେ ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲା ।
No comments yet.