🗂 Crime | 🕒 14 Nov 2025, 20:42 IST
ପୁରୀ ଶ୍ରୀସେତୁ ବ୍ରିଜ ନିକଟ ବିଲରେ ଜଣେ ନାବାଳକକୁ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗରେ ସଦର ଥାନା ପୁଲିସ ୨ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ବୟଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ଅଭିଯୁକ୍ତ ଦ୍ୱୟ ହେଲେ ବାସେଳୀସାହି ଥାନା ଅନ୍ତର୍ଗତ ମାତିତୋଟା ପ୍ରଧାନସାହିର ଅଜୁ ପ୍ରଧାନ ୨୫ ଓ ମାତିତୋଟା ନୂଆସାହିର ସିପୁନ ସିଂହ ୧୮ l ଅଭିଯୁକ୍ତ ଦ୍ବୟଙ୍କ ନିକଟରୁ ଏକ ଲୁହା ଆଙ୍ଗେଲ ଓ ତାଙ୍କର ପୋଷାକ ଜବତ କରିଛି ପୁଲିସ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଶ୍ରୀସେତୁ ନିକଟ ବିଲ ଭିତରୁ ଜଣେ ନାବାଳକର ମୃତଦେହ ସଦର ଥାନା ପୁଲିସ ଗତ ଗୁରୁବାର ଦିନ ଜବତ କରିଥିଲା l ମୃତ ନାବାଳକଟି ମାର୍କଣ୍ଡେଶ୍ୱର ସାହିର ଲୋକନାଥ ସାହୁଙ୍କ ପୁତ୍ର ସୂର୍ଯ୍ୟ ସାହୁ ୧୭ ବୋଲି ପୁଲିସ ଜାଣିବାକୁ ପାଇଥିଲା l ସୂର୍ଯ୍ୟ ଗତ ଗତ ମଙ୍ଗଳବାର ଠାରୁ ଘରୁ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ହୋଇଥିଲା l ନାବାଳକର ମୃତଦେହ ଜବତ କରି ସଦରଥାନା ପୁଲିସ ତଦନ୍ତ ଆରଂଭ କରିଥିଲା l ତଦନ୍ତରୁ ଜଣାପଡିଥିଲା ଯେ ଟଙ୍କା ଦେଣନେଣ ନେଇ ସୂର୍ଯ୍ୟକୁ ହତ୍ୟା କରାଯାଇଛି l ଗତ ଦୁଇବର୍ଷ ତଳୁ ସୂର୍ଯ୍ୟଠାରୁ ଅଭିଯୁକ୍ତ ଅଜୁ ୧୦ହଜାର ଟଙ୍କା ନେଇଥିଲା l ସୂର୍ଯ୍ୟ ଟଙ୍କା ଫେରସ୍ତ ପାଇଁ ଅଜୁକୁ ବାରମ୍ବାର ମାଗୁଥିଲା l ହେଲେ ଅଜୁ ଟଙ୍କା ଦେଉନଥିଲା l ଏନେଇ ଅଜୁ ସୂର୍ଯ୍ୟକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା l ଅଜୁ ତାର ସହଯୋଗୀ ସିପୁନ ସହ ମିଶି ସୂର୍ଯ୍ୟକୁ ଶ୍ରୀସେତୁ ନିକଟକୁ ଡାକିଥିଲେ l ସେଠାରେ ସୂର୍ଯ୍ୟକୁ ମାରିବା ପରେ ନିକଟସ୍ଥ ବିଲ ପାଣିରେ ଫିଙ୍ଗି ଦେଇ ଚାଲିଯାଇଥିଲେ ବୋଲି ପୁଲିସ ସୂଚନା ଦେଇଥିଲା l ଅଭିଯୁକ୍ତ ଦ୍ବୟଙ୍କ ବିରୁଦ୍ଧରେ ହତ୍ୟା ମାମଲାରେ ୬୯୫/୨୦୨୫ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା l ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇଦିଆଯାଇଛି l ସିପୁନ ନାମରେ ପୂର୍ବରୁ ବାସେଳୀସାହି ଓ କୁମ୍ଭାରପଡା ଥାନାରେ ଅପରାଧିକ ମାମଲା ଥିବା ନେଇ ପୁଲିସ ସୂଚନା ଦେଇଛି l
No comments yet.