🗂 Local | 🕒 16 Nov 2025, 23:18 IST
ପୁରୀ ୧୬. ୧୧. ଦିଲ୍ଲୀ ଲାଲକିଲ୍ଲା ନିକଟ ଆତଙ୍କବାଦୀ ବିସ୍ଫୋରଣ ପରେ ଏବେ ସାରା ଦେଶରେ ହାଇ ଆଲର୍ଟ । ପର୍ଯ୍ୟଟନ ସହର ପୁରୀକୁ ପ୍ରତିଦିନ ହଜାର ହଜାର ଲୋକଙ୍କ ଆଗମନ ହେଉଥିବାରୁ ଆତଙ୍କବାଦ କାର୍ଯ୍ୟକଳାପ ଆଶଙ୍କାକୁ ଦୃଷ୍ଟିରେ ରଖାଯାଇ ଶ୍ରୀ ମନ୍ଦିର ସମେତ ସମଗ୍ର ପୁରୀ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି । ସବୁ ଆଡ଼େ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହେଲେ ବର୍ତ୍ତମାନ ସ୍ଥିତିରେ ଶ୍ରୀ ମନ୍ଦିର ଓ ପୁରୀ ସହର ପାଇଁ ବଡ ହେଉଛି ବେଆଇନ ଲଜିଂ। ଶ୍ରୀ ମନ୍ଦିର ଚାରିପାଖରେ ଥିବା ସାହି ଗୁଡ଼ିକରେ ଛତୁ ଫୁଟିଲା ଭଳି ବେଆଇନ ଲଜିଂ ତଥା ହୋମ ଷ୍ଟେ ରହିଛି । ଏହି ଲଜିଂ ତଥା ହୋମ ଷ୍ଟେ ଗୁଡ଼ିକର ପୁରୀ ପୌରପଳିକା ପ୍ରଦାନ କରୁଥିବା ଟ୍ରେଡ୍ ଲାଇସେନ୍ସ ନାହିଁ । ବେଆଇନ ଭାବେ ଖୁଲମ ଖୁଲା ଯାତ୍ରୀଙ୍କୁ ଲଜିଂରେ ରଖାଯାଉଛି । ରହୁଥିବା ଯାତ୍ରୀଙ୍କ ଠାରୁ କୌଣସି ପରିଚୟ ପତ୍ର ରଖାଯାଉନାହିଁ । କେଉଁ ଯାତ୍ରୀ କେଉଁ ସ୍ଥାନରୁ ଆସିଛନ୍ତି କୌଣସି ସୂଚନା ରଖାଯାଉନାହିଁ । ଯାହାକି ଶ୍ରୀ ମନ୍ଦିର ସମେତ ପୁରୀ ସହର ପାଇଁ ବଡ ବିପଦ ସୃଷ୍ଟି କରୁଛି ବୋଲି ଅଭିଯୋଗ ହୋଇଛି ।
ତେବେ ଯଦି କେହି ଦୁର୍ବୃତ୍ତ ଏହି ବେଆଇନ ଲଜରେ ରହି କିଛି ଅଘଟଣ ପାଇଁ ଷଡ଼ଯନ୍ତ୍ର କରେ ଆଗାମୀ ଦିନରେ ଭୟଙ୍କର ଅଘଟଣ ଘଟିବାର ଆଶଙ୍କା ରହିଛି । ଅର୍ଥ ରୋଜଗାର ଲାଳସାରେ ବେଆଇନ ଲଜ ବ୍ୟବସାୟ କରୁଛନ୍ତି ଅନେକ ବ୍ୟକ୍ତି । ନିଜ ଘରକୁ ହୋମ ଷ୍ଟେ ବ୍ୟବସାୟରେ ଲଗାଇ ଭଲ ରୋଜଗାର କରୁଛନ୍ତି । ଯାହାକି ସହର ପାଇଁ ବିପଦ ସୃଷ୍ଟି କରୁଛି । ଏହି ବେଆଇନ ଲଜ୍ ଓ ହୋମ ଷ୍ଟେ ଗୁଡ଼ିକୁ ପୋଲିସ ଓ ପ୍ରଶାସନ କଡାକଡି ଯାଞ୍ଜ କରି ଏହାକୁ ବନ୍ଦ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି । ଦୀପ ତଳ ଅନ୍ଧାର ଭଳି ସହରରେ କଡା ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ଏହି ବେଆଇନ ଲଜ ସାହାଯ୍ୟରେ ଆତଙ୍କୀମାନେ ଶ୍ରୀ ମନ୍ଦିର ଓ ପୁରୀ ସହରରେ ଅଘଟଣ ଘଟାଇବା ଆଶଙ୍କା ରହିଛି ।
ପୁରୀ ସହର ଛୋଟ ବଡ ହୋଟେଲ, ଗେଷ୍ଟ ହାଉସ, ଲଜିଂ, ଧର୍ମଶାଳାକୁ ହିସାବକୁ ନେଲେ ଏହି ସଂଖ୍ୟା ଏକ ହଜାରରୁ ଅଧିକ ହେବ । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ, ଶ୍ରଦ୍ଧାଳୁ ଏହି ହୋଟେଲ, ଗେଷ୍ଟ ହାଉସ, ଲଜିଂ, ଧର୍ମଶାଳାରେ ରୁହନ୍ତି । ତେବେ ଯାତ୍ରୀଙ୍କୁ ରଖିବାକୁ ବେଳେ ସବୁ ହୋଟେଲ, ଗେଷ୍ଟହାଉସ, ଲଜକୁ ପୁରୀ ପୌର ପାଳିକା ଠାରୁ ଟ୍ରେଡ ଲାଇସେନ୍ସ ଓ ପଞ୍ଜିକରଣ ବାଧ୍ୟତା ମୂଳକ । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଫାୟାର ସେଫ୍ଟି, ପାର୍କିଂ ବ୍ୟବସ୍ଥା ବାଧ୍ୟତା ମୂଳକ । ଯେଉଁ ଯାତ୍ରୀ ମାନେ ରହିବେ ସେମାନଙ୍କ ସଠିକ୍ ବୈଧ ପରିଚୟ ପତ୍ର ରଖିବା ଓ ରେଜିଷ୍ଟରରେ ନାମ ଲେଖା ସହ ଯିବା ଆସିବା ସମୟ ଲେଖିବା ବାଧ୍ୟତାମୂଳକ । କୌଣସି ବିଦେଶୀ ବ୍ୟକ୍ତି କିମ୍ବା ସନ୍ଦିଗ୍ଧ ବ୍ୟକ୍ତି ଆସିଲେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେବାର ନିୟମ ରହିଛି । ନିୟମ ଉଲଘଂନ କଲେ ଲାଇସେନ୍ସ ବାତିଲ ସହ ଜରିମାନା ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ରହିଛି । ହେଲେ ଏହାକୁ ଭ୍ରୁପେକ୍ଷ ନ କରି କେତେକ ବ୍ୟକ୍ତି ନିଜର ଆବାସିକ ଘରକୁ ବେଆଇନ ଭାବେ ବିନା ପଞ୍ଜିକରଣରେ ହୋମ ଷ୍ଟେ ତଥା ଲଜରେ ପରିଣତ କରି ବେପାର ଚଳାଇଛନ୍ତି । ପଞ୍ଜିକରଣ କରିନଥିବା ହେତୁ ଏହି ବେଆଇନ ଲଜରେ କେଉଁ ବ୍ୟକ୍ତି ଆସି ରହିଛନ୍ତି ସେ ନେଇ ପୋଲିସ କି ପ୍ରଶାସନ ନିକଟର ସୂଚନା ରହୁନାହିଁ । ଯାହାକୁ ନେଇ ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିଛନ୍ତି । ଏହି ବେଆଇନ କାର୍ଯ୍ୟକୁ ରୋକା ନ ଗଲେ ଆଗାମୀ ଦିନରେ ଏହା ସୁରକ୍ଷା ବ୍ୟବସ୍ଥାକୁ ବଡ ବିପଦ ହେବ ବୋଲି ପୋଲିସକୁ ବୁଦ୍ଧିଜୀବୀ ସତର୍କ କରାଇଛନ୍ତି ।
ବୁଦ୍ଧିଜୀବୀ ଶରତ ରାୟଗୁରୁ ନିଜ ପ୍ରତିକ୍ରିୟାରେ କୁହନ୍ତି, "ପୁରୀ ସହରରେ ଯେଉଁ ଲଜ୍ ବ୍ୟବସାୟ ଚାଲିଛି ବହୁତ୍ ଗୁଡ଼ିକର ଟ୍ରେଡ ଲାଇସେନ୍ସ ନାହିଁ କି ପ୍ରଶାସନ ନିକଟରେ ପଞ୍ଜିକରଣ ହୋଇନି । ଅନେକ ଲୋକ ନିଜ ଘରକୁ ହୋମ ଷ୍ଟେ କରିଛନ୍ତି ଯାହାକି ବହୁତ୍ ବିପଦଜନକ । ଏହି ବେଆଇନ ଲଜ୍, ହୋମ ଷ୍ଟେ ବିଷୟରେ ପୋଲିସ, ପ୍ରଶାସନ ନିକଟରେ ମଧ୍ୟ ଖବର କି ସୂଚନା ନାହିଁ । ସବୁଠୁ ବଡ କଥା ହେଉଛି ଶ୍ରୀ ମନ୍ଦିର ଚାରିପାଖରେ ବହୁ ବେଆଇନ ଲଜ୍ ରହିଛି । ତାଙ୍କର କିଛି ବି ଲାଇସେନ୍ସ ନାହିଁ । ସେଠାରେ ଯେଉଁ ସଦିଗ୍ଧ ବ୍ୟକ୍ତି ମାନେ ରହିବେ ସେମାନେ ଶ୍ରୀ ମନ୍ଦିର ପାଇଁ ବିପଦ । ବିନା ବୈଧ କାଗଜ ପତ୍ର ଓ ବିନା ଲାଇସେନ୍ସ ଯେଉଁ ବେଆଇନ ଲଜ୍ ରହିଛି ସେଗୁଡିକ ପ୍ରତି ପ୍ରଶାସନ ଓ ପୋଲିସର ନିଘା ରହିବା ଉଚିତ୍ । ଯଦି ଏହି ବେଆଇନ ଲଜ ଉପରେ ନଜର ନ ରହେ ବହୁତ୍ ବିପଦ ଆଶଙ୍କା ରହିଛି । ପୁରୀ ପୌର ପାଳିକାର ସ୍କ୍ୱାର୍ଡ କେବଳ ଗରୀବ ଲୋକ ଟିଏ ଯଦି କିଏ କ୍ୟାବିନ୍ ପକାଇଛି ତାଙ୍କ ଉପରେ ଜୁଲମ କରୁଛି । କିନ୍ତୁ ବେଆଇନ ଲଜ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଚୁପ୍ ବସିଛି । କେବଳ ଧର୍ମକୁ ଆଖିଠାର ଭଳି କାର୍ଯ୍ୟାନୁଷ୍ଠାନ ହେଉଛି । ତୁରନ୍ତ ପୁରୀ ପୋଲିସ୍ ଓ ପ୍ରଶାସନ ଲଜ ଗୁଡିକ ପାଇଁ ଗାଇଡ ଲାଇନ କଡାକଡି କରନ୍ତୁ । ନହେଲେ ଏହା ଆଗାମୀ ଦିନରେ ବଡ ବିପଦ ସୃଷ୍ଟି କରିବ ।"
ପୁରୀ ଏସପି ପ୍ରତୀକ ସିଂ ନିଜ ପ୍ରତିକ୍ରିୟାରେ କୁହନ୍ତି, "ପୁରୀରେ ଥିବା ସବୁ ହୋଟେଲ, ଲଜ ମାଲିକଙ୍କ ସହ ଆମର ବୈଠକ ହୋଇଛି । ଯାହା ନିୟମ ରହିଛି ତାହା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରହୁଥିବା ଯାତ୍ରୀଙ୍କ ସମ୍ପୂର୍ଣ ଠିକଣା ଓ ପରିଚୟ ଦେଇ ରଖିବା ପାଇଁ କୁହାଯାଇଛି । କୌଣସି ସନ୍ଦିଗ୍ଧ ବ୍ୟକ୍ତି ନଜରକୁ ଆସିଲେ ପୋଲିସକୁ ଖବର ଦେବାକୁ କୁହାଯାଇଛି । ମଝିରେ ଥିବା ଆମ ପୋଲିସ ଟିମ୍ ମଧ୍ୟ ସରପ୍ରାଏଜ୍ ଭିଜିଟ କରି ଚେକ୍ କରୁଛନ୍ତି । ତେବେ ବିନା ପଞ୍ଜିକରଣରେ ହୋଇଥିବା ଲଜ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଉଛି । ତେବେ ହୋମ ଷ୍ଟେ ଓ ଲଜ୍ କୁ ନେଇ ଏକ ନୂଆ ଏସଓପି ଆଣିବାକୁ ଚିନ୍ତା କରାଯାଉଛି । ଏନେଇ ଖୁବ୍ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ।
No comments yet.