🗂 Art & Culture | 🕒 22 Nov 2025, 00:06 IST
ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଗାମୀ ଦିନରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି, ମକର ସଂକ୍ରାନ୍ତି ନୀତି ଏବଂ ଇଂରାଜୀ ନୂତନ ବର୍ଷ ଥିବାରୁ ନୀତି ବହୁଳତା ସହିତ ପ୍ରବଳ ଭକ୍ତଙ୍କ ସମାଗମ ହେବ। ଏଣୁ ନୀତି ବହୁଳତା ନଥିବା ସମୟରେ ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ। ଏନେଇ ମଧ୍ୟ ଏକ ନୂଆ ଏସଓପି ଆସିବ। ନୂଆ ଏସଓପି ଆଧାରରେ ପ୍ରତ୍ୟେକ ରତ୍ନ ଅଳଙ୍କାରର ଡିଜିଟାଲ ଇନଭେଣ୍ଟୋରି କରାଯିବ। ରିଜର୍ଭ ବ୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ। ତେବେ ଏକାଥରେ ରତ୍ନ ଅଳଙ୍କାରର ଗଣତି ମଣତି କରାନଯାଇ ବିଭିନ୍ନ ପର୍ଯ୍ୟାୟରେ ରତ୍ନ ଅଳଙ୍କାର ର ଗଣତି ମଣତି କରାଯିବ। ମହାପ୍ରଭୁଙ୍କ ନୀତି କାନ୍ତି ଯେଭଳି ପ୍ରଭାବିତ ନହୁଏ ଏବଂ ଭକ୍ତଙ୍କ ଦର୍ଶନରେ ଯେଭଳି କୌଣସି ଅସୁବିଧା ସୃଷ୍ଟି ନହୁଏ ତାକୁ ନଜରରେ ରଖି ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ। ସେହିପରି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ଆହୁରି ଅଧିକ ତର୍ଜମା କରାଯିବ। ନାଟମଣ୍ଡପରେ ବ୍ୟାରିକେଡ଼ ବ୍ୟବସ୍ଥାରେ ଧାଡ଼ି ଦର୍ଶନ କରାଗଲେ ମହାପ୍ରଭୁଙ୍କ ନୀତି କାନ୍ତି ଯେଭଳି ପ୍ରଭାବିତ ନହୁଏ ତାକୁ ନଜରରେ ରଖାଯାଇ ପଦକ୍ଷେପ ନିଆଯିବ। ଧାଡ଼ି ଦର୍ଶନ ପାଇଁ ନିର୍ମିତ ହୋଇଥିବା ବ୍ୟାରିକେଡ଼ ଡିଜାଇନରେ ପରିବର୍ତ୍ତନର ଆବଶ୍ୟକତା ଥିବାରୁ ଆଇଆଇଟି ର ପରାମର୍ଶ ନିଆଯାଇ ବ୍ୟାରିକେଡ଼ ବ୍ୟବସ୍ଥା କରାଯିବ। ନାଟମଣ୍ଡପରେ ବ୍ୟାରିକେଡ଼ ବ୍ୟବସ୍ଥା ଦ୍ବାରା ଯେଭଳି ଭକ୍ତଙ୍କ ଦର୍ଶନରେ କୌଣସି ସମସ୍ୟା ସୃଷ୍ଟି ନହୁଏ ତାକୁ ଦୃଷ୍ଟିରେ ରଖାଯାଇ ପଦକ୍ଷେପ ନିଆଯିବ। ସେହିପରି ଏମାର ମଠରୁ ବାହାରିଥିବା ରୂପା ଇଟା ମାମଲା ଅଦାଲତରେ ବିଚାରାଧୀନ ଥିବାରୁ ନିୟମ ଅନୁଯାୟୀ ଏହାକୁ କିଭଳି ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଧିନକୁ ଅଣାଯିବ ତାହା ରାଜ୍ୟ ସରକାରଙ୍କ ଆଡଭୋକେଟ୍ ଜେନେରାଲ ଙ୍କ ପରାମର୍ଶ ନିଆଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ଅନୁଷ୍ଠିତ ହୋଇଥିବା ପରିଚାଳନା କମିଟି ବୈଠକରେ ୨୦୨୫-୨୬ ବର୍ଷ ପାଇଁ ୧୦୪ କୋଟି ଟଙ୍କାର ବଳକା ବଜେଟ ଉପସ୍ଥାପନ କରାଯାଇ ଅନୁମୋଦନ କରାଯାଇଥିଲା। ସେହିପରି ୨୦୨୨-୨୩, ୨୦୨୩-୨୪ ଆର୍ଥିକ ବର୍ଷର ଅଡିଟ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଜଗନ୍ନାଥ ବଲ୍ଲଭ ମଲ୍ଟି ଲେବଲ କାର୍ ପାର୍କିଂର ପରିଚାଳନା ଭାର ଖୁବଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆସିବ। ଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନର ମଧ୍ୟ ଉନ୍ନତିକରଣ କରାଯିବ। ପୁରୀ ରେ ଥିବା ସମସ୍ତ ବ୍ୟାଙ୍କର ଏଟିଏମ୍ ରେ ଶ୍ରୀମନ୍ଦିର ହୁଣ୍ଡି କୁ ଦାନ କରିବା ପାଇଁ ଏଟିଏମ୍ ବ୍ୟବସ୍ଥା ପାଇଁ ସମସ୍ତ ବ୍ୟାଙ୍କ କୁ ଅନୁରୋଧ କରାଯିବ। ସେହିପରି ଖୁବଶୀଘ୍ର ଗୁଣ୍ଡିଚା ମନ୍ଦିର ଭକ୍ତମାନଙ୍କ ପାଇଁ ଖୋଲାଯିବା ସହ ଏହାକୁ ନିଲାମ ଦିଆନଯାଇ ଶ୍ରୀମନ୍ଦିର ପ୍ରଶାସନ ନିଜ ଅଧୀନରେ ପରିଚାଳନା କରିବ। ମହାପ୍ରଭୁଙ୍କ ଜମିଜମା ସୁରକ୍ଷା ନିମନ୍ତେ ହାଇକୋର୍ଟ ଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାରର ଆଉ ଏକ ସେଟ୍ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଆଇନକୁ ଅଧିକ କଡାକଡି କରିବା ପାଇଁ ରାଜ୍ୟ ସରକାର ଏହାକୁ ତୁରନ୍ତ ଅନୁମୋଦନ କରିବା ପାଇଁ ଅନୁରୋଧ କରାଯିବ। ଏହାଦ୍ଵାରା ସ୍ପାଏ କ୍ୟାମେରା, ମୋବାଇଲ୍ ଏବଂ ଡ୍ରୋନ୍ ଉଠାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଇସ୍କନ୍ ବିଦେଶରେ କରୁଥିବା ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ସରକାରଙ୍କ ସହିତ ଆଲୋଚନା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ। ବରିଷ୍ଠ ସେବାୟତଙ୍କ ପେନସନ ରାଶିକୁ ମାସିକ ଚାରି ହଜାର ଟଙ୍କାରୁ ପାଞ୍ଚ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେବକଙ୍କ କନ୍ୟା ସନ୍ତାନଙ୍କ ବିବାହ ନିମନ୍ତେ ସହାୟତା ରାଶି ୫୦ ହଜାର ଟଙ୍କାରୁ ଏକଲକ୍ଷ ଟଙ୍କା ବୃଦ୍ଧି ପାଇଁ ଅନୁମୋଦନ କରାଯାଇଥିବା ବେଳେ ସେବାୟତ ପିଲାଙ୍କ ବ୍ରତଘର ପାଇଁ ସହାୟତା ରାଶି ୩୦ ହଜାର ଟଙ୍କାରୁ ୫୦ ହଜାର ଟଙ୍କା କୁ ବୃଦ୍ଧି ପାଇଁ ଅନୁମୋଦନ କରାଯାଇଛି। ସେବକଙ୍କ କଲ୍ୟାଣ ନିମନ୍ତେ ଏକ ଚିକିତ୍ସାଳୟ ନିର୍ମାଣ ନିମନ୍ତେ ଆଲୋଚନା ହୋଇଛି।
ପୁରୀ ବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ନେଇ ଏକ ଗାଇଡ ଲାଇନ ପ୍ରସ୍ତୁତ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି। ଜିଲ୍ଲାପାଳଙ୍କ ରିପୋର୍ଟ ଆସିବା ପରେ କିଭଳି ଏହାକୁ ଲାଗୁ କରାଗଲେ ସାଧାରଣ ଭକ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ ନାହିଁ ଏବଂ ଏହାର ଅପବ୍ୟବହାର ହେବ ନାହିଁ ତାକୁ ଦୃଷ୍ଟିରେ ରଖାଯାଇ ପୁରୀ ବାସିନ୍ଦାଙ୍କ ପାଇଁ ଦର୍ଶନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
No comments yet.