🗂 Local | 🕒 01 Dec 2025, 08:48 IST
ପୁରୀ ସିଂହଦ୍ଵାର ଥାନାରେ ଭାରତର ଜଣାଶୁଣା ସୋସିଆଲ ମିଡ଼ିଆ ଇନଫ୍ଲୁଏନସର ତଥା ବ୍ଲଗର ଶୁଭଙ୍କର ମିଶ୍ରାଙ୍କ ବିରୁଦ୍ଧରେ ଏତଲା। ଜଗନ୍ନାଥ ସଂସ୍କୃତିକୁ ବିକୃତ କରି ଭୁଲ୍ ତଥ୍ୟ ଦେଇ ନିଜ ସୋସିଆଲ ମିଡ଼ିଆରେ ଏକ ଭିଡିଓ ପୋଷ୍ଟ କରିଥିବାରୁ ଶୁଭଙ୍କର ମିଶ୍ରାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିରେ ସିଂହଦ୍ଵାର ଥାନାରେ ଏତଲା ଦେଲେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ। ଗତ କିଛି ଦିନ ତଳେ ୟୁଟ୍ୟୁବର ଶୁଭଙ୍କର ମିଶ୍ରା ଜଗନ୍ନାଥ ମନ୍ଦିର ସମ୍ପର୍କରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁ ଭିଡିଓରେ ସେ ଦର୍ଶାଇଥିଲେ ପ୍ରେମୀ ଯୁଗଳ ମାନେ ଶ୍ରୀମନ୍ଦିରକୁ ଗଲେ ସେମାନଙ୍କ ମଧ୍ୟରେ ସମ୍ପର୍କ ଛିନ୍ନ ହୋଇଯିବ। ଶ୍ରୀରାଧାରାଣୀ ଜଗନ୍ନାଥ ମନ୍ଦିରକୁ ଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ କରିବା ପାଇଁ ଆସିଥିଲେ। ହେଲେ ଶ୍ରୀମନ୍ଦିର ସେବାୟତମାନେ ତାଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇ ଦେଇନଥିଲେ। ପ୍ରଭୁ ଜଗନ୍ନାଥ ଙ୍କ ଦର୍ଶନ ନପାଇ ଶ୍ରୀରାଧାରାଣୀ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ। ଯେଉଁ ପ୍ରେମୀ ଯୁଗଳ ଶ୍ରୀମନ୍ଦିର କୁ ଆସିବେ ତାଙ୍କର ସମ୍ପର୍କ ଛିନ୍ନ ହୋଇଯିବ। ତେବେ ଏହି ତଥ୍ୟ ସମ୍ପୂର୍ଣ୍ଣ ଅମୂଳକ ଏବଂ ବିଭ୍ରାନ୍ତିକର ବୋଲି ଶ୍ରୀମନ୍ଦିର ସେବାୟତ ଗୌରହରି ପ୍ରଧାନ କହିଛନ୍ତି। ସେ କହିଛନ୍ତି ଏ କୌଣସି ତଥ୍ୟ କୌଣସି ଶାସ୍ତ୍ର ରେ ମଧ୍ୟ ଉଲ୍ଲେଖ ନାହିଁ। ଏଣୁ ୟୁଟ୍ୟୁବର ଶୁଭଙ୍କର ମିଶ୍ରା କେବଳ ନିଜର ଲୋକପ୍ରିୟତା ବଢାଇବା ଉଦ୍ଦେଶ୍ୟରେ ଏବଂ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଅଧିକ ଫଲୋର୍ସ ଏବଂ ଭିଉଜ ପାଇଁ କେବଳ ମନଗଢା କାହାଣୀ ପ୍ରସାରଣ କରୁଥିବା ଅଭିଯୋଗ ହୋଇଛି। ଯାହାକି କୋଟି କୋଟି ଭକ୍ତଙ୍କୁ ବିଭ୍ରାନ୍ତ କରିବା ସହ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଶୁଭଙ୍କର ମିଶ୍ରା ଅପପ୍ରଚାର କରିଥିବାରୁ ତାଙ୍କ ବିରୁଦ୍ଧରେ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେବାୟତ ଦାବି କରିଛନ୍ତି।
ସେପଟେ ପୁରୀ ଏସପି ପ୍ରତୀକ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି ୟୁଟ୍ୟୁବର ଶୁଭଙ୍କର ମିଶ୍ରାଙ୍କ ବିରୁଦ୍ଧରେ ଦିଆଯାଇଥିବା ଏତଲାକୁ ସିଂହଦ୍ଵାର ପୋଲିସ ଗ୍ରହଣ କରିଛି। ପୋଲିସ ଏହି ଏତଲାକୁ ଅନୁଧ୍ୟାନ କରି କୌଣସି ବେଆଇନ୍ କାର୍ଯ୍ୟ ହୋଇଥିଲେ ୟୁଟ୍ୟୁବର ଶୁଭଙ୍କର ମିଶ୍ରାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପଟେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ ପ୍ରତିକ୍ରିୟାରେ କହିଛନ୍ତି ଜଗନ୍ନାଥ ସଂସ୍କୃତି ବିଷୟରେ ଭୁଲ୍ ତଥ୍ୟ ଦେଇ ଅପପ୍ରଚାର କରିବା ଠିକ୍ ନୁହେଁ। ଏଭଳି କାର୍ଯ୍ୟ ଯେଉଁମାନେ କରୁଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନଲାଇନରେ ଅନେକ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଶ୍ରୀମନ୍ଦିର ସମ୍ପର୍କିତ ଅନେକ ମନଗଢା କାହାଣୀ ପ୍ରସାରଣ କରାଯାଉଥିବା ବିଭିନ୍ନ ସମୟରେ ନଜରକୁ ଆସୁଛି। ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଜଗନ୍ନାଥ ସଂସ୍କୃତିକୁ ଅପପ୍ରଚାର କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଥାନାରେ ଏତଲା ଦେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ତତ୍ପର ହେବାକୁ ଶ୍ରୀ ମନ୍ଦିର ସେବାୟତ ଦାବି କରିଛନ୍ତି।
No comments yet.