🗂 Crime | 🕒 03 Dec 2025, 01:30 IST
ପୁରୀ ଜାତୀୟ ରାଜପଥ ସମଯାଜପୁର ରେଲୱେ ଓଭର ବ୍ରିଜ ନିକଟରେ ଘଟିଥିବା ଟଙ୍କା ସୁନା ରୁପା ଅଳଙ୍କାର ଲୁଟ ଘଟଣାରେ ପୁଲିସ ପର୍ଦାଫାଶ କରିଛି l ଚନ୍ଦନପୁର ଥାନା ପୁଲିସ ୪ଜଣକୁ ଗିରଫ କରିଛି l ଏଥିରେ ସମ୍ପୃକ୍ତି ଥିବା ଅନ୍ୟ ୩ଜଣ ଫେରାର ଅଛନ୍ତି l ଅଭିଯୁକ୍ତ ମାନେ ହେଲେ ବୀରନରସିଂହପୁରର ଟୁକୁଲା ଓରଫ ଟୁକୁ ନାୟକ ୪୫,ପୁରୀ ଭିଆଇପି ରୋଡର ବାପି ଓରଫ ପ୍ରଶାନ୍ତ ପ୍ରଧାନ ୪୧,ବିଶାଖାପାଟଣାର ଏମ୍.ଗୌତମ ୨୪ ଏବଂ ଜଣେ ଛାତ୍ର ଭୁବନେଶ୍ଵରର ଶୁଭ୍ରଜିତ୍ ମହାନ୍ତି ୨୨ l ଅଭିଯୁକ୍ତ ମାନଙ୍କ ଠାରୁ ୧୩୨ ଗ୍ରାମର ୮ଟି ସୁନା ଚେନ୍ ,୩୧ କେ.ଜି ରୂପା ,୬ ଲକ୍ଷ ଟଙ୍କା, ଗୋଟିଏ କାର ,୬ ଟି ମୋବାଇଲ ଫୋନ୍,ଗୋଟିଏ ବନ୍ଧୁକ ,ଦୁଇଟି ଜୀବନ୍ତ ଗୁଳି ଜବତ କରିଛି ପୁଲିସ l ଲୁଟ ଘଟଣା ନେଇ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ ଓ ପୁରୀ ଏସପି ପ୍ରତୀକ ସିଂହ ଆଜି ଡିପିଓ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ l ଗତ ନଭେମ୍ବର ମାସ ୨୦ ତାରିଖ ସକାଳେ ପୁରୀ - ଭୁବନେଶ୍ୱର ଜାତୀୟ ରାଜପଥ ସମଯାଜପୁର ରେଲୱେ ଓଭର ବ୍ରିଜ ନିକଟରେ ଟଙ୍କା ସୁନା ରୁପା ଅଳଙ୍କାର ଲୁଟ ହୋଇଥିଲା l ଏହି ଲୁଟ ଘଟଣାରେ ଟୁକୁ ଓ ବାପି ହେଉଛି ମାଷ୍ଟର ମାଇଣ୍ଡ । ଚନ୍ଦନପୁର ଦୋଳଗୋବିନ୍ଦପୁର ସୁନା ଦୋକାନୀ ସଞ୍ଜୟ ଦାସଙ୍କ ଘର ପାଖରେ ରହୁଥିବା ଟୁକୁ ହିଁ ଏହି ଲୁଟ ପାଇଁ ଯୋଜନା କରିଥିଲା l ଗତ ଏକ ମାସ ତଳେ ଏହି ଯୋଜନା ଆରମ୍ଭ ହୋଇଥିଲା l ଏଥିପାଇଁ ଟୁକୁ ପୁରୀ ଭିଆଇପି ରୋଡର ପ୍ରଶାନ୍ତ ପ୍ରଧାନକୁ ନିୟୋଜିତ କରିଥିଲା ।ପରେ ବାପି ବିଭିନ୍ନ ଅପରାଧରେ ସଂପୃକ୍ତ ଥିବା ୫ ଜଣଙ୍କୁ ନିୟୋଜିତ କରିଥିଲା l ଘଟଣା ଦିନ ୪ ଜଣ ସ୍କୋଡା ଗାଡ଼ିରେ ଆଉ ବାକି ୩ ଜଣ ଏକ ବାଇକ୍ ରେ ଆସି ପୁରୀ - ଭୁବନେଶ୍ୱର ଜାତୀୟ ରାଜପଥର ସମଯାଜପୁର ରେଲୱେ ଓଭର ବ୍ରିଜ ନିକଟରେ ବନ୍ଧୁକ ଦେଖାଇ ଲୁଟ କରିଥିଲେ l ଏଥିପାଇଁ ୭ ଦିନ ପୂର୍ବରୁ ରେକି କରାଯାଇଥିଲା l ଲୁଟ କେଉଁ ସ୍ଥାନରେ ହେବ,କିଭଳି ହେବ,କେଉଁ ବାଟ ଦେଇ ଆସିବେ ଓ କେଉଁ ବାଟ ଦେଇ ଯିବେ ତାର ସଂପୂର୍ଣ୍ଣ ଯୋଜନା କରାଯାଇ ଘଟଣାକୁ ରୂପ ଦିଆଯାଇଥିଲା l ରାଧାକାନ୍ତ ଜୁଏଲାରୀ ମାଲିକ ସଞ୍ଜୟ କୁମାର ଦାସ ଟଙ୍କା, ସୁନା ରୁପା ଅଳଙ୍କାର ନେଇ ଯାଉଥିବା ବେଳେ ଯୋଜନା ମୁତାବକ ଅଭିଯୁକ୍ତ ମାନେ ଲୁଟ କରି ଫେରାର ହୋଇଥିଲେ l ସଞ୍ଜୟଙ୍କ ଅଭିଯୋଗ ପରେ ଚନ୍ଦନପୁର ଥାନା ପୁଲିସ ୨୬୪/୨୦୨୫ ନମ୍ବର ମାମଲା ରୁଜୁ କରିଥିଲା l ଏସପି ପ୍ରତୀକ ସିଂହଙ୍କ ନେତୃତ୍ଵରେ ଦୁଇଟି ସ୍ଵତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିଲା।ଚନ୍ଦନପୁର ଥାନା ପୋଲିସର ପ୍ରାଥମିକ ଲିଖିତ ରିପୋର୍ଟ ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଥିଲା।ଏଥିପାଇଁ ଗଞ୍ଜାମ ଜିଲ୍ଲା ପୋଲିସ ସହ ରାଜ୍ୟ ପୋଲିସର ମଧ୍ୟ ସହାୟତା ନିଆଯାଇଥିଲା।ଘଟଣାସ୍ଥଳରୁ ସଂଗୃହିତ ତଥ୍ୟ,ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ,ସିସିଟିଭି ଫୁଟେଜ ,ମୋବାଇଲ ଟ୍ରାକିଂ,ବୈଷୟିକ ସହାୟତା ନିଆଯାଇ ୪ ଅଭିଯୁକ୍ତଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି।ଫେରାର ଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରଖିଛି l ଗିରଫ ଟୁକୁ ଓ ବାପି ଲୁଟ କରିଥିବା ନେଇ ପୋଲିସ ନିକଟରେ ସ୍ବୀକାର କରିଛନ୍ତି।ଟୁକୁ,ବାପି ସମେତ ଗିରଫ ଅଭିଯୁକ୍ତଙ୍କ ନାମରେ କେଉଁ କେଉଁ ଥାନାରେ କେତୋଟି ମାମଲା ରହିଛି ,କେଉଁ ପ୍ରକାର ଅପରାଧରେ ଏମାନଙ୍କ ସଂପୃକ୍ତି ରହିଛି ତାର ଅଧିକ ଯାଞ୍ଚ କରାଯାଉଥିବା ନେଇ ସୂଚନା ଦିଆଯାଇଛି l
No comments yet.