🗂 Local | 🕒 11 Dec 2025, 01:40 IST
ପୁରୀ,୧୦/୧୨ : ବୁଧବାର ଏସପି ପ୍ରତୀକ ସିଂହ ପୁରୀ ସହରର ବିଭିନ୍ନ ସାହି, ଲେନ୍ ଏବଂ ବାଇ-ଲେନ୍ଗୁଡ଼ିକୁ ସମୀକ୍ଷା କରିଛନ୍ତି । ଆସନ୍ତା ଡିସେମ୍ବର ଜାନୁଆରୀ ମାସରେ ଭାରତର କୋଣ ଅନୁକୋଣରୁ ପର୍ଯ୍ୟଟକ ଓ ଭକ୍ତମାନଙ୍କ ଭିଡ଼ ଶ୍ରୀକ୍ଷେତ୍ରରେ ବୃଦ୍ଧି ପାଇବ l ଏହି ପରିପ୍ରେକ୍ଷିରେ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା ଉଦେଶ୍ୟରେ ଗଳି ଓ ଲେନ୍ଗୁଡିକର ମାଇକ୍ରୋ ଲେଭେଲ୍ ଇନ୍ସପେକ୍ସନ୍ କରାଯାଇଛି । ବୁଧବାର ସକାଳ 7ଟାରୁ ଆରମ୍ଭ ହୋଇଥିବା ଏହି ସମୀକ୍ଷାରେ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ। ଏସପି ଗାଣ୍ଡୁଆଚଉରା ଛକ, ବାରବାଟୀ ଜାଗା, ମଣିକର୍ଣ୍ଣିକା ସାହି, ଧାନକୁଟି ସାହି, କଦମଗଡ ଛକ, ଭୋଗଜାଗା, ଜହ୍ନୀମୁଣ୍ଡିଆ ଛକ, ଜେନେରୀ ଗଛ, ଲବଣିଖିଆ ଛକ, ମରଚିକୋଟ ଛକ ସହ ବିଭିନ୍ନ ସ୍ଥାନରେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମସ୍ତ ସ୍ଥାନ ମାଧ୍ୟମରେ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ପ୍ରତିଦିନ ଯାତାୟାତ କରନ୍ତି । ଏସ୍ପି ନିଜେ ଲେନ୍–ବାଇଲେନ୍ଗୁଡ଼ିକର ଚଉଡ଼ା, ରାସ୍ତାର ଅବସ୍ଥା, ଅବରୋଧ, ଅସୁରକ୍ଷିତ ସ୍ଥାନ, ଅନାବଶ୍ୟକ ପାର୍କିଂ ବିଷୟରେ ନିରୀକ୍ଷଣ କରିଥିଲେ l “ପୁରୀ ହେଉଛି ଜଗତର ଆସ୍ଥାର କେନ୍ଦ୍ର । ଆସନ୍ତା ପର୍ଯ୍ୟଟନ ଋତୁରେ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ ପୁରୀ ଆସିବେ । ସେମାନଙ୍କ ସୁମଧୁର ଅନୁଭବ, ସୁରକ୍ଷା ପୋଲିସର ପ୍ରଥମ ଦାୟିତ୍ୱ l ସାହି, ଲେନ୍ ଓ ବାଇଲେନ୍ ଭିତରକୁ ଯାଇ ନିଜେ ସମୀକ୍ଷା କରିବା ଏହି ଲକ୍ଷ୍ୟର ଏକ ଅଂଶ ବୋଲି ଏସପି କହିଥିଲେ l ଏଥିସହ ସମସ୍ତ ଜନସାଧାରଣଙ୍କୁ ଆହ୍ବାନ କରାଯାଉଥିଲା ଯେ ଯେ କୌଣସି
ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖିଲେ ପୋଲିସ୍କୁ ସୂଚନା ଦେବେ l ମହିଳାମାନେ ଯେକୌଣସି ସମସ୍ୟା ସାମ୍ନା କଲେ 112 କିମ୍ବା ନିକଟସ୍ଥ ଥାନାକୁ ସୂଚନା କରିପାରିବେ । ପର୍ଯ୍ୟଟକ ସୁରକ୍ଷା ଦୃଷ୍ଟିରେ ରଖି ପୁରୀ ପୋଲିସ ପର୍ଯ୍ୟାୟକ୍ରମେ ମାଇକ୍ରୋ ଲେଭେଲ ସମୀକ୍ଷା, ସୁରକ୍ଷା ବ୍ୟବସ୍ଥା, ରୁଟ୍ ପରିଚାଳନା, ପଦଚାରୀ ପଟ୍ରୋଲିଙ୍ଗ ଜୋରଦାର ଚାଲୁଅଛି ।
No comments yet.