🗂 Art & Culture | 🕒 30 Dec 2025, 00:10 IST
ପୁରୀ, ୨୯/୧୨: ଇଂରାଜୀ ନୂଆବର୍ଷରେ ରାତି ୧୨ଟାରୁ ଶ୍ରୀମନ୍ଦିରର ଦ୍ୱାର ଫିଟାଯିବାକୁ ବିରୋଧ କରି ଗଜପତି ମହାରାଜାଙ୍କୁ ଚିଠି ଲେଖିଛନ୍ତି ପରିଚାଳନା କମିଟି ସଦସ୍ୟ ମହେଶ ସାହୁ । ଆଇନମନ୍ତ୍ରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମଧ୍ୟ ସେ ଏନେଇ ଚିଠି ପ୍ରେରଣ କରିଛନ୍ତି ।
ଶ୍ରୀ ସାହୁ ଚିଠିରେ ଉଲ୍ଲେଖ କରିଛନ୍ତି, ରାତି ୧୨ଟାରେ ପାଶ୍ଚାତ୍ୟ ସଂସ୍କୃତି ଅନୁସାରେ ନୂତନ ଦିନର ଆରମ୍ଭ ହୋଇଥାଏ । ହେଲେ ସନାତନ ସଂସ୍କୃତିରେ ସୂର୍ଯ୍ୟୋଦୟ ସହ ନୂତନ ଦିନର ଆରମ୍ଭ ହୁଏ । ଏଣୁ ସନାତନ ସଂସ୍କୃତି ଓ ପରମ୍ପରା ଅନୁସାରେ ସୂର୍ଯ୍ୟୋଦୟରେ ଶ୍ରୀମନ୍ଦିର ଦ୍ୱାର ଖୋଲାଯିବା ଜରୁରି । ଆମ ସୁବିଧା ପାଇଁ ନୀତି ଓ ପରମ୍ପରାରେ ବ୍ୟତିକ୍ରମ କରି ମହାପ୍ରଭୁଙ୍କୁ ରାତି ଅନିଦ୍ରା ରଖି ରାତି ୧୨ଟାରୁ ଦ୍ୱାର ଖୋଲି ଦର୍ଶନ କରିବା ବ୍ୟବସ୍ଥାବଳୀକୁ ବିରୋଧାଚରଣ କରୁଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ ଜଣାଇଛନ୍ତି, ପହିଲି ଭୋଗ ନୀତି ପାଇଁ ସେମିତିରେ ଶ୍ରୀମନ୍ଦିର ଦ୍ୱାର ଶୀଘ୍ର ଖୋଲୁଛି । ଏଣୁ ମହାପ୍ରଭୁଙ୍କୁ ବିଶ୍ରାମ ନେବାକୁ ସମୟ ଦେବା ନିହାତି ଜରୁରି । ଭକ୍ତ ସମାଜ ମଧ୍ୟ ଏନେଇ ସଚେତନ ରହି ରାତି ଅଧରେ ମନ୍ଦିର ନ ଯାଇ ନିୟମିତ ଯେଉଁଭଳି ଦର୍ଶନ କରିବାକୁ ଆସନ୍ତି ସେହିଭଳି ଆସନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି
No comments yet.