🗂 Local | 🕒 02 Jan 2026, 18:32 IST
ପୁରୀ, ୨/୧ : ବଡ଼ଦାଣ୍ଡରେ ବଡ ଦୁର୍ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା l ପୁରୀର ମୁଖ୍ୟ ହସ୍ପିଟାଲ ଛକରେ ମୃତ ନାବାଳକ ଶବ ରଖି ଦୀର୍ଘ ସମୟ ଧରି ରାସ୍ତାରୋକ କରିବା ସହ ପୋଡ଼ାଜଳା ହୋଇଥିଲା l ଏସପି ପ୍ରତୀକ ସିଂହ ଘଟଣାସ୍ଥଳରେ ପହଞ୍ଚି ମୃତ ନାବାଳକର ପରିବାର ଲୋକେ ଓ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମଦ୍ୟପ ଡ୍ରାଇଭର ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ସୂଚନା ଯୋଗ୍ୟ ଯେ ପୁରୀ ବଳଗଣ୍ଡି ଛକରେ ଆଜି ସକାଳୁ ଘଟିଥିଲା ସିରିଜ୍ ଦୁର୍ଘଟଣା। ସ୍କୁଟିକୁ ଘୋଷାଡି ନେଇଥିଲା ଏକ ବୋଲେରୋ। ବୋଲେରୋ ଧକ୍କାରେ ସ୍କୁଟିରେ ଥିବା ତିନିଜଣ ଗୁରୁତର ହୋଇଥିଲେ। ଜଣେ ନାବାଳକର ମୃତ୍ୟୁ ହୋଇଥିଲା। ମୃତ ନାବାଳକ ଟାଉନ ଥାନା ଅଞ୍ଚଳର ଶ୍ରେୟାନ୍ସ ଦେ।ସେ ଆଜି ନିଜ ଜେଜେଙ୍କ ନୀଳକଣ୍ଠ ଦେ ସହ ବୁଲିବାକୁ ଆଉ ଜଳଖିଆ ଖାଇ ବଳଗଣ୍ଡି ଛକରେ ଥିବା ବେଳେ ହସ୍ପିଟାଲ ଛକ ଡେଇଁ ଶ୍ରୀମନ୍ଦିର ଅଭିମୁଖେ ଯାଉଥିବା ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା।ସ୍କୁଟିରେ ନୀଳକଣ୍ଠ ଦେ ଙ୍କ ସହ ନାତି ଶ୍ରେୟାନ୍ସ ଓ ୧୨ ବର୍ଷୀୟ ରୋହିତ ଥିଲେ।ବୋଲେରୋଟି ଧକ୍କା ଦେବା ପରେ ପ୍ରାୟ ୬୦ ମିଟର ଘୋଷାଡି ନେଇଥିଲା।କେବଳ ଏତିକି ନୁହେଁ ବୋଲେରୋଟି ସାଇକେଲ ଆରୋହୀ ନବକିଶୋର ମହାରଣାକୁ ମଧ୍ୟ ଧକ୍କା ଦେଇଥିଲା।ଶ୍ରେୟାନ୍ସଙ୍କୁ ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହାପରେ ଆରମ୍ଭ ହୋଇଯାଇଥିଲା ଉତ୍ତେଜନା। ମୃତ ଶିଶୁର ବ୍ୟବଚ୍ଛେଦ ପରେ ଉତ୍ତ୍ୟକ୍ତ ଲୋକେ ହସ୍ପିଟାଲ ଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ।ସହରର ସବୁ ଥାନାର ଅଧିକାରୀଙ୍କ ସହ ଘଟଣାସ୍ଥଳରେ ସିଟି ଡିଏସପି , ଅତିରିକ୍ତ ଏସପି ,ତହସିଲଦାର ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନ ଥମିନଥିଲା।ପରେ ଉତ୍ତ୍ୟକ୍ତ ଲୋକେ ଥାନା ଅଧିକାରୀଙ୍କୁ ଘେରାଉ କରିବା ସହ ହସ୍ପିଟାଲ ଛକ ନିକଟରେ ଥିବା କୁମ୍ଭାରପଡ଼ା ଥାନା ଘେରାଉ ପାଇଁ ଯାଇଥିଲେ। ଶେଷରେ ଘଟଣାସ୍ଥଳରେ ଏସପି ପ୍ରତୀକ ସିଂହ ପହଞ୍ଚି ମୃତ ଶିଶୁର ପରିବାର ଲୋକଙ୍କୁ ଦୀର୍ଘ ସମୟ ଧରି ବୁଝାସୁଝା କରିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ସହ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଥିଲା।ଦୁର୍ଘଟଣା ଘଟାଇଥିବା ଗାଡ଼ି ଓ ଏହାର ଡ୍ରାଇଭର ଭଦ୍ରକ ଅଞ୍ଚଳର। ମଦ୍ୟପ ଡ୍ରାଇଭର ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏହା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।
No comments yet.