ରଥଯାତ୍ରା ପାଇଁ ପୁରୀ ପୋଲିସର ପ୍ରାକ ପ୍ରସ୍ତୁତି, ଗଳିକନ୍ଦି ବୁଲି ଅନୁଧ୍ୟାନ କଲେ ପୁରୀ ଏସପି - NILACHALA SAMACHAR
Article Image

ରଥଯାତ୍ରା ପାଇଁ ପୁରୀ ପୋଲିସର ପ୍ରାକ ପ୍ରସ୍ତୁତି, ଗଳିକନ୍ଦି ବୁଲି ଅନୁଧ୍ୟାନ କଲେ ପୁରୀ ଏସପି

🗂 Local | 🕒 17 Jan 2026, 00:59 IST


 

ପୁରୀ ୧୬/୧ : ରଥଯାତ୍ରା–୨୦୨୬ ଉପଲକ୍ଷେ ସହରକୁ ଦେଶ ଓ ବିଦେଶରୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେବାର ସମ୍ଭାବନା ରହିଥିବା ପରିପ୍ରେକ୍ଷିତରେ, ସାର୍ବଜନୀନ ସୁରକ୍ଷା, ଶାନ୍ତି-ଶୃଙ୍ଖଳା ଓ ସୁସଂଗଠିତ ଯାତାୟାତ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ କରାଯାଇଛି।

ଏହି ପରିପ୍ରେକ୍ଷିତରେ ଆଜି ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂହଙ୍କ ନେତୃତ୍ୱରେ ପୁରୀ ସହରର ବିଭିନ୍ନ ସାହି, ଗଳି, ଲେନ୍ ଓ ବାଇ-ଲେନ୍‌ର ମାଇକ୍ରୋ ଲେଭେଲ୍ ସମୀକ୍ଷା ଓ ଭୂମିସ୍ତରୀୟ ଇନ୍ସପେକ୍ସନ୍ କରାଯାଇଛି।

ସକାଳ ପ୍ରାୟ ୭ଟାରୁ ଆରମ୍ଭ ହୋଇଥିବା ଏହି ଇନ୍ସପେକ୍ସନ୍ ସମୟରେ ଦକ୍ଷିଣଦ୍ୱାର, ଧାନକୁଟି ସାହି, ବାରାହୀ ଲେନ୍, କାମାକ୍ଷା ଛକ, ଜମ୍ବେଶ୍ୱର ମନ୍ଦିର, ହରଚଣ୍ଡୀ ସାହି, ମାଣିକର୍ଣ୍ଣିକା ସାହି, ଗଣ୍ଡୁଆ ଚଉରା ଛକ ସହିତ ପୁରୀ ସହରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ଗ୍ରସ୍ତ କରାଯାଇଥିଲା। ଏହି ସମସ୍ତ ଅଞ୍ଚଳ ମାଧ୍ୟମରେ ରଥଯାତ୍ରା ସମୟରେ ଓ ସାଧାରଣ ଦିନରେ ମଧ୍ୟ ହଜାର-ହଜାର ଭକ୍ତ ଓ ପର୍ଯ୍ୟଟକଙ୍କ ଯାତାୟାତ ହୋଇଥାଏ। ଇନ୍ସପେକ୍ସନ୍ ସମୟରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂହ ନିଜେ ଲେନ୍ ଓ ବାଇ-ଲେନ୍‌ଗୁଡ଼ିକର ଚଉଡ଼ା, ରାସ୍ତାର ଭୌତିକ ଅବସ୍ଥା, ସମ୍ଭାବ୍ୟ ଟ୍ରାଫିକ୍ ଅବରୋଧ, ଅନାବଶ୍ୟକ ଓ ଅବୈଧ ପାର୍କିଂ, ଭିଡ଼ ପ୍ରବଣ ଅଞ୍ଚଳ, ଅନ୍ଧାରା ସ୍ଥାନ, ଆଲୋକ ବ୍ୟବସ୍ଥା, ସିସିଟିଭି କଭରେଜ୍ ଓ ଆପାତକାଳୀନ ସ୍ଥିତିରେ ରେସ୍କ୍ୟୁ ଓ ଏକ୍ସେସ୍ ରୁଟ୍ ସମ୍ପର୍କରେ ସବିସ୍ତାର ଭାବେ ଅନୁଧ୍ୟାନ କରିଥିଲେ।

ସେଥିସହ ନିକଟସ୍ଥ ଥାନା ଅଧିକାରୀ, ସହର ଡିଭିଜନର ଅଧିକାରୀ ଓ ଫିଲ୍ଡ୍ ଅଫିସରମାନଙ୍କୁ ସମ୍ଭାବ୍ୟ ସମସ୍ୟା ଓ ଚ୍ୟାଲେଞ୍ଜଗୁଡ଼ିକୁ ପୂର୍ବରୁ ଚିହ୍ନଟ କରି ସମୟମତେ ପ୍ରସ୍ତୁତି ନେବାକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅବସରରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂହ କହିଥିଲେ “ପୁରୀ ହେଉଛି ଭଗବାନ ଶ୍ରୀଜଗନ୍ନାଥଙ୍କ ଧାମ ଓ ସାରା ବିଶ୍ୱର ଆସ୍ଥାର କେନ୍ଦ୍ର। ରଥଯାତ୍ରା ଓ ପର୍ଯ୍ୟଟକ ଋତୁରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକ ପୁରୀକୁ ଆସନ୍ତି। ସେମାନଙ୍କ ସୁରକ୍ଷା, ସୁବିଧା ଓ ସକାରାତ୍ମକ ଅନୁଭବ ନିଶ୍ଚିତ କରିବା ପୁରୀ ପୋଲିସର ପ୍ରଥମ ପ୍ରାଥମିକତା। ସେଥିପାଇଁ ସାହି, ଗଳି ଓ ବାଇ-ଲେନ୍‌ରେ ଯାଇ ମାଇକ୍ରୋ ଲେଭେଲ୍‌ରେ ସମୀକ୍ଷା କରାଯାଉଛି।” ପୁରୀ ପୋଲିସ ପକ୍ଷରୁ ସହରବାସୀ, ବ୍ୟବସାୟୀ, ହୋଟେଲ ମାଲିକ ଓ ପର୍ଯ୍ୟଟକମାନଙ୍କୁ ସହଯୋଗ ପାଇଁ ଆହ୍ବାନ କରାଯାଇଛି। କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ, ଅସାମାଜିକ ତତ୍ତ୍ୱ କିମ୍ବା ଆପାତକାଳୀନ ସ୍ଥିତି ଦେଖିଲେ ସଙ୍ଗେ ସଙ୍ଗେ ୧୧୨ କିମ୍ବା ନିକଟସ୍ଥ ଥାନାକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି।

ମହିଳା ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଉଥିବା ବେଳେ, ମହିଳାମାନେ ଯେକୌଣସି ସମସ୍ୟାରେ ନିର୍ଭୟ ଭାବେ ପୋଲିସ ସହ ଯୋଗାଯୋଗ କରିପାରିବେ। ପର୍ଯ୍ୟଟକ ସୁରକ୍ଷା ଓ ଶାନ୍ତି-ଶୃଙ୍ଖଳା ରକ୍ଷା ଦୃଷ୍ଟିରେ ପୁରୀ ପୋଲିସ ପକ୍ଷରୁ ପର୍ଯ୍ୟାୟକ୍ରମେ ମାଇକ୍ରୋ ଲେଭେଲ୍ ସମୀକ୍ଷା, ରୁଟ୍ ମ୍ୟାନେଜମେଣ୍ଟ, ପଦଚାରୀ ପେଟ୍ରୋଲିଂ, ନାକାବନ୍ଦୀ ଓ ଆଧୁନିକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଉଛି।

ଏହି ସମୀକ୍ଷା କାର୍ଯ୍ୟକ୍ରମରେ ସିଟି ଡିଏସପି ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର ଏବଂ ଏସଏସଏମଏସଭିର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଶ୍ରୀ ବିଜୟ ନନ୍ଦ ଉପସ୍ଥିତ ଥିଲେ।

ପୁରୀକୁ ଏକ ସୁରକ୍ଷିତ, ସୁସଂଗଠିତ ଓ ଆତ୍ମିୟ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ପୁରୀ ପୋଲିସ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

💬 Leave a Comment

🗨️ Approved Comments

No comments yet.

🔗 Share this article: