🗂 Crime | 🕒 23 Jan 2026, 15:42 IST
ପୁରୀ, ୨୨/୧ : ସୋସିଆଲ ମିଡ଼ିଆ ଫେସବୁକରେ ଜୁଲି ରାଣୀ ପଣ୍ଡା ନାମକ ଏକ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଧମକପୂର୍ଣ୍ଣ ପୋଷ୍ଟର ପର୍ଦାଫାଶ କରିଛି ପୁଲିସ l ପୋଷ୍ଟ କରିଥିବା ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଅଭିଯୁକ୍ତର ପରିଚୟ ବାସେଳୀସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟ ନୀଳାଦ୍ରି ବିହାରରେ ରହୁଥିବା କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଡଙ୍ଗର ପ୍ରତୀକ ମିଶ୍ର ୩୦ l ଅଭିଯୁକ୍ତ ବିରୁଦ୍ଧରେ ସିଂହଦ୍ୱାର ଥାନାରେ ଆଇଟି ଆକ୍ଟରେ ୧୮/୨୦୨୬ ନମ୍ବର ମାମଲା ରୁଜୁ କରାଯାଇଛି l ପ୍ରତୀକ ମିଶ୍ର ନାମରେ କେନ୍ଦ୍ରାପଡା ଜିଲ୍ଲା ସଦର ଥାନାରେ ୨ଟି, କେନ୍ଦ୍ରାପଡା ପାଟକୁରା ଥାନାରେ ୨ଟି, ପୁରୀ ଟାଉନ ଥାନାରେ ୨ଟି ଓ ପୁରୀ ବଳଙ୍ଗା ଥାନାରେ ୨ଟି ସଂଗୀନ ମାମଲା ରହିଥିବା ନେଇ ପୁଲିସ କହିଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତ କିଛିଦିନ ତଳେ ଜୁଲି ରାଣୀ ପଣ୍ଡା ନାମରେ ଏକ ଫେସବୁକ ଆକାଉଣ୍ଟରେ ଧମକପୂର୍ଣ୍ଣ ପୋଷ୍ଟର ମେସେଜ ଆସିଥିଲା l ଏହି ପୋଷ୍ଟର ମେସେଜରେ ପୁରୀ ଜଗନ୍ନାଥ ମନ୍ଦିରରେ ଖୁବ ଶୀଘ୍ର ବୋମା ପଡିବ, ଖୁବଶୀଘ୍ର ସୁଭାଶିଷ ଖୁଣ୍ଟିଆକୁ ଗୁଳି ମାଡ ହେବ, ଖୁବ ଶୀଘ୍ର ପୁରୀ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟେଇବୁ ଆଦି ରହିଥିଲା l ଏହି ଧମକ ପୂର୍ଣ୍ଣ ମେସେଜ ନେଇ ପୁଲିସ ତଦନ୍ତ କରି ପ୍ରତୀକ ମିଶ୍ରକୁ ଅଟକରଖି ପଚରା ଉଚରା କରିବା ପରେ ସତ୍ୟତା ଜଣାପଡିଥିଲା l ଅଭିଯୁକ୍ତ ପ୍ରତୀକ ଜୁଲି ରାଣୀ ପଣ୍ଡା ନାମକ ଜଣେ ମହିଳାଙ୍କୁ ପ୍ରେମ କରୁଥିଲା l ମହିଳା ଜଣଙ୍କ ରାଜି ନହେବାରୁ ତାଙ୍କ ସିମ ବ୍ୟବହାର କରି ଗତ ୧୧ ତାରିଖରେ ତାଙ୍କ ନାମରେ ଆକାଉଣ୍ଟ ଖୋଲିଥିଲା l ତାଙ୍କୁ ବଦନାମ କରିବାକୁ ଯାଇ ପ୍ରତୀକ ଏଭଳି କାଣ୍ଡ ଘଟାଇଥିଲା ବୋଲି ପୁଲିସ ଜାଣିବାକୁ ପାଇଥିଲା l ପରେ ପ୍ରତୀକକୁ କୋର୍ଟ ଚାଲାଣ କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା l
No comments yet.