🗂 Art & Culture | 🕒 09 May 2026, 03:43 IST
ପୁରୀ ୯/5 : ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ବସିଲା ପ୍ରଥମ ସମନ୍ବୟ କମିଟି ବୈଠକ । ଆଜି (ଶୁକ୍ରବାର) ପୁରୀ ଟାଉନ ହଲ୍ ଠାରେ ରଥଯାତ୍ରା ୨୦୨୬ ପାଇଁ ପ୍ରଥମ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଇଁ ପ୍ରଥମ ସମନ୍ବୟ ବୈଠକରେ ରଥ ନିର୍ମାଣ, ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ଭକ୍ତଙ୍କ ସୁରକ୍ଷା , ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ପ୍ରତ୍ୟେକ ବିଭାଗର ମୁଖ୍ୟମାନେ ଏହି ବୈଠକରେ ଯୋଗଦେଇ ଆଗାମୀ ରଥଯାତ୍ରାକୁ ନଜରରେ ରଖି କିଭଳି ସବୁ ପ୍ରସ୍ତୁତି କାର୍ଯ୍ଯ କରାଯାଉଛି ନେଇ ସୂଚନା ପ୍ରଦାନ କରିଥିଲେ ।
ରଥ ନିର୍ମାଣ ପାଇଁ ଚଳିତ ବର୍ଷ ୮୧୮ ଖଣ୍ଡ କାଠର ଆବଶ୍ୟକ ଥିବା ବେଳେ ୭୧୦ ଖଣ୍ଡ କାଠ ପହଞ୍ଚି ସାରିଛି । ଚଳିତ ବର୍ଷ ଢେଙ୍କାନାଳ ହିନ୍ଦୋଳରୁ ଚାରମାଳ ପାଇଁ ଅଧିକ ଏକ ସେଟ୍ ତାଳ ଗଛ କାଠ ଅଣାଯିବ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀ ମହାନଗର ନିଗମ ଅଞ୍ଚଳରେ ୫ ଲକ୍ଷ ଟଙ୍କାର ବୀମା କରାଯିବ । ଅସ୍ବାଭାବିକ ମୃତ୍ୟୁ, ଦୁର୍ଘଟଣା ଜନିତ ମୃତ୍ୟୁ ଏହି ବୀମାରେ ଅନ୍ତର୍ଭୁକ୍ତ ହେବ।୧୬୦୦ ମିଟର ବିଭିନ୍ନ ରଙ୍ଗର ରଥ କନା ଆସିବ। ରଥ ଦଉଡି଼ ପାଇଁ ଓଡ଼ିଶା ସମବାୟ କତା ନିଗମ ଚଳିତ ମାସ ଶେଷ ସୁଦ୍ଧା ୨୮ଟି ରଥ ଟଣା ଦଉଡି଼ ଏବଂ ୬ଟି କଡର୍ନ ଦଉଡି଼ ପହଞ୍ଚାଇବ । ସେହିପରି ପୁରୀ ମହାନଗର ନିଗମ ପକ୍ଷରୁ ସବୁ ସାହି, ସବୁ ବାଇଲେନରେ ଦୁଇ ଥର ଡ୍ରେନ ସଫା ହେବ। ବଡ଼ଦାଣ୍ଡ ସହ ବିଭିନ୍ନ ସ୍ଥାନରେ ଭକ୍ତଙ୍କ ପାଇଁ ୧୦୦୦ ଓ ପୋଲିସ ପାଇଁ ୬୦୦ ଅସ୍ଥାୟୀ ଶୌଚାଳୟ ମିଶାଇ ମୋଟ ୧୬୦୦ ଅସ୍ଥାୟୀ ଶୌଚାଳୟ ହେବ। ଡ୍ରୋନ ଦ୍ବାରା ମଶା ତେଲ ପକାଯିବ । ସମସ୍ତ ମୁକୁଳା ଡ୍ରେନରେ ସ୍ଲାବ ପକାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ସମସ୍ୟା ମୁକୁଳା ନଳା ଉପରେ ମେ' ମାସ ଶେଷ ସୁଦ୍ଧା ସ୍ଲାବ ପକାଯିବ । ତେବେ ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟ ସେବାକୁ ନେଇ ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା ।
ପୁରୀର ତାଳବଣିଆଠାରେ ଅସ୍ଥାୟୀ ବସଷ୍ଟାଣ୍ଡ ହେବ । ମାଳତୀପାଟପୁର ବସଷ୍ଟାଣ୍ଡରେ ରାଜ୍ୟ ବାହାରୁ ଆସିଥିବା ବସ ରହିବ । ସେଠାରେ ୨୦୦୦ ଲୋକ ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ । ରାସ୍ତାରେ କୌଣସି ଗାଡ଼ି ଦୁର୍ଘଟଣା ଘଟି ରାସ୍ତା ଜାମ୍ ହେଲେ ରାସ୍ତା ଅବରୋଧ ହଟାଇବା ପାଇଁ ୧୦ଟି କ୍ରେନ୍ ବ୍ୟବସ୍ଥା, ଦ୍ରୁତ ଗାଡ଼ିଚାଳନା ରୋକିବାକୁ ଇଣ୍ଟର ସେପ୍ଟର ବ୍ୟବସ୍ଥା, ପ୍ରତ୍ୟେକ ବସରେ ରେଟ୍ ଚାର୍ଟ ଲଗାଇବା ବ୍ୟବସ୍ଥା ହେବ ।
କେନ୍ଦ୍ରାଞ୍ଚଳ ଆରଡିସି ସୁଧାଂଶୁ ମୋହନ ସାମଲ ନିଜ ପ୍ରତିକ୍ରିୟାରେ କହିଛନ୍ତି," ମହାପ୍ରଭୁଙ୍କ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସବୁ ସ୍ତରରେ ପ୍ରସ୍ତୁତି କରାଯାଇଛି । ଏନେଇ ବାରମ୍ବାର ଉଚ୍ଚସ୍ତରୀୟ ବୈଠକ ମଧ୍ୟ ହେଉଛି । ଆଜିର ବୈଠକରେ ସବୁ ପକ୍ଷଙ୍କ ମତାମତ ନିଆଯାଇଛି । ଆଗାମୀ ଦିନରେ ଏହାକୁ ସମୀକ୍ଷା କରାଯାଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ।"
ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ ପ୍ରତିକ୍ରିୟାରେ କହିଛନ୍ତି,"ରଥଯାତ୍ରାକୁ ସୁରୁଖୁରୁରେ ଆୟୋଜନ ନେଇ ସବୁ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ମେ' ମାସ ସୁଦ୍ଧା ପୁରୀ ସହରର ସବୁ ଡ୍ରେନ ସଫେଇ କାର୍ଯ୍ଯ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଛି । ଲୋକଙ୍କୁ ବିଭିନ୍ନ ସୂଚନା ଦେବା ପାଇଁ ପୁରୀ ସହରର ବିଭିନ୍ନ ସ୍ଥାନରେ ଏଲଇଡି ସ୍କ୍ରିନର ବ୍ୟବସ୍ଥା ରହିଛି । ୧୬୦୦ ଶୌଚାଳୟ ହେବ। ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ସିସିଟିଭି ଲଗାଯାଇ କଡା ନଜର ରଖାଯିବ
No comments yet.