🗂 Art & Culture | 🕒 09 May 2026, 17:04 IST
ପୁରୀ ୯/୫ : ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ। ଏହି ଅବସରରେ ତିନି ରଥର ଛଅଟି ନାହାକ ଚକ ସହ ତିନୋଟି ଅଖ ସଂଯୋଗର ଶୁଭ ଅନୁକୂଳ କରାଯାଇଛି। ଶ୍ରୀମନ୍ଦିରରୁ ପୂଜାପଣ୍ତା ସାମନ୍ତଙ୍କ ଦ୍ୱାରା ଆଜ୍ଞାମାଳ ଅଣାଯିବା ପରେ ବିଶ୍ୱକର୍ମା ଓ ଭୋଇ ସେବକଙ୍କ ସହାୟତାରେ ଏହି ଚକ ଅଖ ସଂଯୋଗ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ପ୍ରତ୍ୟେକ ରଥର ୨ ଟି ଲେଖାଏଁ ଚକରେ ଗୋଟିଏ ଲେଖାଏଁ ଅଖ ସଂଯୋଗ କରାଯାଇଥିବା ବେଳେ ଆଗକୁ ସମୁଦାୟ ୪୨ଟି ଚକ ଓ ୨୧ ଟି ଅଖର କାର୍ଯ୍ୟ ଆରମ୍ଭ କରାଯିବ।
ଆରମ୍ଭ ହୋଇଛି ରଥ ନିର୍ମାଣର ଆଉ ଏକ ପର୍ଯ୍ୟାୟ କାର୍ଯ୍ୟ। ଗତ ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ କରାଯାଇଥିବା ବେଳେ ଆଜି ପବିତ୍ର ଭଉଁରୀ ରେ ତିନି ରଥର ଚକ ଓ ଅଖ ସଂଯୋଗର ଅନୁକୂଳ କରାଯାଇଛି। ପରମ୍ପରା ଅନୁଯାୟୀ ଆଜି ଭଉଁରୀ ଅବସରରେ ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ପୂଜାପଣ୍ତା ସେବକ ମାନେ ତିନିରଥ ପାଇଁ ଆଜ୍ଞାମାଳ ଆଣି ରଥଖଳାରେ ପହଞ୍ଚିଥିଲେ। ବିଶ୍ଵକର୍ମା ମହାରଣା ମାନେ ନିର୍ମାଣ କରିଥିବା ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକ ସହ ଅଖର ସଂଯୋଗ କରିଥିଲେ ଭୋଇ ସେବକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂ, ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଙ୍କ ଉପସ୍ଥିତିରେ ଏହି ଅନୁକୂଳ କାର୍ଯ୍ୟ ବେଶ୍ ସୁରୁଖୁରୁରେ ସଂପନ୍ନ ହୋଇଥିଲା। ମହାପ୍ରଭୁଙ୍କ ରଥ ନିର୍ମାଣ ଓ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଚଳିତ ବର୍ଷ ଭକ୍ତଙ୍କ ଗହଣରେ ଶୃଙ୍ଖଳିତ ଭାବେ ହେବା ନେଇ ମହାପ୍ରଭୁଙ୍କ ପାଖରେ ସଭିଏଁ ପ୍ରାର୍ଥନା କରିଛନ୍ତି।
No comments yet.